କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସାରା ରାତି ଝରକାରେ ଫଶି ରହିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହନ୍ତ ନିଲମ୍ବିତ ହୋଇଛନ୍ତି ।
ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ୱିତୀୟ ଶ୍ରେଣୀର କୋମଳମତି ଛାତ୍ରୀ ଗତକାଲି ବିଦ୍ୟାଳୟରେ ଦେହ ଅସୁସ୍ଥ ଲାଗିବାରୁ ଶୋଇ ପଡ଼ିଥିଲା । ଛୁଟି ହେବା ପରେ ଶିକ୍ଷକମାନେ ନ ଯାଞ୍ଚ କରି ତାଲା ପକାଇ ଚାଲି ଯାଇଥିଲେ । ପରିବାର ଲୋକେ ଝିଅକୁ ସାରା ରାତି ବିଭିନ୍ନ ସ୍ଥାନରେ ଖୋଜି ପାଇ ନ ଥିଲେ । ଆଜି ସକାଳେ ସ୍କୁଲରେ ଛାତ୍ରୀଙ୍କୁ ଖୋଜିବା ପାଇଁ ବାପା ମାଆ ପାଚିକାଙ୍କୁ ଚାବି ମାଗିଥିଲେ । ସ୍କୁଲ ଖୋଲିବା ପରେ ଶିଶୁଟି ଝରକାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୭ ଘଣ୍ଟା ପରେ ଛାତ୍ରୀଟିକୁ ଉଦ୍ଧାର କରାଯାଇଥିବା । ଝିଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେ ସୁସ୍ଥ ଅଛି ।
ତେବେ ଘଟଣା ଜଣାପଡ଼ିବା ପରେ ବ୍ଲକ୍ ଶିକ୍ଷାଧିକାରୀ ଏବଂ ତହସିଲଦାର ପହଁଚି ଯାଞ୍ଚ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।