ଭୁବନେଶ୍ୱର: ଭାରତର ନୀଳ ବିପ୍ଲବରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ । ଓଡ଼ିଶାକୁ ପୂର୍ବ ଭାରତରେ ମାଛ ଚାଷର ଏକ ହବ୍ ଭାବେ ପରିଣତ କରିବାରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ସମ୍ବଲପୁରରେ ଅତ୍ୟାଧୁନିକ ଆକ୍ୱା ପାର୍କ ଏବଂ ଭୁବନେଶ୍ୱର ପାଣ୍ଡାରେ ମାଛ ମାର୍କେଟ୍ ଭିତ୍ତି ପ୍ରସ୍ତାର ସ୍ଥାପନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ସମ୍ୱଲପୁରର ବସନ୍ତପୁରଠାରେ ପ୍ରସ୍ତାବିତ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୦୦ କୋଟି ଟଙ୍କା ବିନିଯୋଗରେ ସମନ୍ୱିତ ଆକ୍ୱା ପାର୍କ ନିର୍ମାଣ କରାଯିବ । ସେହିପରି ପାଣ୍ଡରାଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ସ୍ଥାପନ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ୱରର ପାଣ୍ଡରା ହୋଲସେଲ୍ ମାଛ ମାର୍କେଟ ପ୍ରକଳ୍ପ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ ଏହା ନିର୍ମିତ ହେବ । ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ ସିଧାସଳଖ ଭାବରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ ଓ ୨,୦୦୦ରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ । ଭୁବନେଶ୍ୱର ଓ କଟକର ଖାଉଟିମାନଙ୍କ ଚାହିଦାକୁ ପୂରଣ କରିବ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିବାବେଳେ ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ ଏବଂ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର- ଏହି ଦୁଇଟି ପ୍ରକଳ୍ପ ମିଶି ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ସୁଯୋଗ ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବ ରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ । ଓଡ଼ିଶାକୁ ପୂର୍ବ ଭାରତରେ ମାଛ ଚାଷର ଏକ ହବ୍ ଭାବେ ପରିଣତ କରିବାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ।
ହୀରାକୁଦରେ ଏହି ଅତ୍ୟାଧୁନିକ ସମନ୍ଵିତ ଆକ୍ୱା ପାର୍କ ୯୫.୪୭ ଏକର ସରକାରୀ ଜମିରେ ନିର୍ମିତ ଏକ ସମୟୋପଯୋଗୀ ପଦକ୍ଷେପ ଯାହା ଆଧୁନିକ ମତ୍ସ୍ୟ ଚାଷ କ୍ଷେତ୍ରକୁ ଆହୁରି ବିକଶିତ କରିବ ଏବଂ ଆମ ରାଜ୍ୟର ମାଛ ଚାଷୀଙ୍କୁ ସମୃଦ୍ଧ କରିବ । ଏଥିରେ ୧୦୦ କୋଟି ଟଙ୍କା ବିନିଯୋଗ ହେବ । କେନ୍ଦ୍ର ସରକାର ୬୦ କୋଟି ଓ ରାଜ୍ୟ ସରକାର ୪୦ କୋଟି ଟଙ୍କା ବିନିଯୋଗ କରିବେ । ଏହା ପୂର୍ବ ଭାରତର ପ୍ରଥମ ଆକ୍ୱା ପାର୍କ ପ୍ରକଳ୍ପ । ପ୍ରକଳ୍ପର କାର୍ଯ୍ୟ ୨୦୨୭ ଜାନୁଆରୀ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ଏହି ପ୍ରକଳ୍ପ ସମ୍ବଲପୁରକୁ ଆଧୁନିକ ମାଛ ଚାଷର ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିବର୍ତ୍ତନ କରି ଭାରତର ନୀଳ ବିପ୍ଲବକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବ।
ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସୁନ୍ଦରଗଡ଼ ବିଶ୍ରାରୁ ଆଭାସୀ ମାଧ୍ୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ । କୃଷି ଶିକ୍ଷା ସଦନଠାରେ ମେୟର ସୁଲୋଚନା ଦାସ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ।