ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ସବୁଠି ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ଏହି ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ମହିଳା କମିଶନ ଦାବି କରିଛନ୍ତି । ଏନେଇ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ରାଜ୍ୟ ମହିଳା କମିଶନର ଏକ ଟିମ୍ ଯିବ ବୋଲି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି, " ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ । ମୋ ତରଫରୁ ଯାହା କିଛି ହୋଇପାରିବ, ମୁଁ ନିଶ୍ଚୟ କରିବି । ପୀଡ଼ିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି । ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି, ନିଶ୍ଚୟ ଦୋଷୀକୁ ଦଣ୍ଡ ମିଳିବ" । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲରେ ଡାକ୍ତରୀ ପାଠପଢୁଥିବା ଜଣେ ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । କିଛି ଲୋକ ତାଙ୍କୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଖୋଜୁଛି । ଦୁର୍ଗାପୁରରେ ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ ପହଞ୍ଚି ଜେରା କରୁଛି ।