ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୩ ଜଣ ଅଭିଯୁକ୍ତ ଦୁର୍ଗାପୁର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ମିଳିନାହିଁ । ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ତଦନ୍ତ କରାଯାଉଛି । ଏହି ଘଟଣାରେ ଆଉ ଅଭିଯୁକ୍ତ ସାମିଲ ଥିବା ସୂଚନା ମିଳିଛି । ପୋଲିସ ସେମାନଙ୍କୁ ଖୋଜିବା ପାଇଁ ତନାଘନା ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ, ଗତକାଲି ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ୍ କଲେଜର ଦ୍ବିତୀୟ ବର୍ଷର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ । ପୀଡିତା ଡାକ୍ତରୀ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି କରାଯାଇଥିଲା । ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ଯୁବତୀଙ୍କ ସହିତ ଥିବା ପୁରୁଷ ବନ୍ଧୁଙ୍କ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଏହା ପରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ।