ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି । ଏହି ଯୋଜନାରେ ସାରା ଦେଶରେ ଆସନ୍ତା ୬ ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଦେଶର ୧.୭ କୋଟି କୃଷକ ଉପକୃତ ହେବେ ।
ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ସବୁ ଯୋଜନାଗୁଡ଼ିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି । ଗତ ୧୧ ବର୍ଷ ଭିତରେ ଆମ ଦେଶ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଦେଶକୁ ପ୍ରମୁଖ ଖାଦ୍ୟ ଶସ୍ୟ, ତୈଳବୀଜ ଓ ଡାଲି ଜାତୀୟ ପଦାର୍ଥ ଦିଗରେ ଆତ୍ମନିର୍ଭର କରିବା ଆବଶ୍ୟକ । ଆଜି ବି ଆମ ଦେଶ ଡାଲି ଏବଂ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ । ଆମକୁ ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡିବ।
ଏହି ଯୋଜନା ଦ୍ୱାରା ଚାଷୀ ପରିବାର ସ୍ୱଚ୍ଛଳ ହେବ ଏବଂ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶାର ଚାରୋଟି ଜିଲ୍ଲାକୁ ଚୟନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏହି ଯୋଜନା ଦ୍ୱାରା ଚାଷୀଭାଇମାନେ କେବଳ ଧାନ ଉପରେ ନିର୍ଭର ନ ହୋଇ ଡାଲି, ତୈଳବିଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଫସଲର ବିବିଧକରଣ ( Crop Diversification ) କରିବେ ଏବଂ ଅଧିକ ଅର୍ଥ ରୋଜଗାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।