ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପୁଣି ଥରେ କମିଶନରେଟ୍ ପୋଲିସ ଚୋର ଗ୍ୟାଙ୍ଗ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଚୋରି କରିବାକୁ ଆସିଥିବାବେଳେ ଏକ ଚୋର ଗ୍ୟାଙ୍ଗ ଘର ମାଲିକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ଭରତପୁର ଥାନା ଅନ୍ତର୍ଗତ ମସଜିଦ ବସ୍ତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୋଲିସ ଜଣଙ୍କୁ ଅଟକ ରଖିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଏକ ଚାରି ଜଣିଆ ଚୋର ଗ୍ୟାଙ୍ଗ୍ ଭରତପୁର ଥାନା ଅଞ୍ଚଳରେ ମସଜିଦ ବସ୍ତିରେ ଜଣକ ଘରେ ପଶିଥିଲେ । ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଘର ମାଲିକ ସେମାନଙ୍କୁ ଛାତ ଉପରୁ ଦେଖି ଦେଇଥିଲେ । ଏହା ପରେ ସେ ତଳକୁ ଆସି ପାଟି ଚିଲାଇଥିଲେ । ଚୋରମାନେ ଧରାପଡ଼ିଯିବା ଭୟରେ ମାଲିକଙ୍କୁ ଆକ୍ରମଣ କରିଥିଲେ । ଏକ ପଥରରେ ଛେଚି ଛେଚି ତାଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ । ଘର ଲୋକ ଚିତ୍କାର ଶୁଣି ବାହାରକୁ ଆସି ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ ।
ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ଅନ୍ୟପକ୍ଷରେ ଆଇଗିଣିଆ ନିକଟରେ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।