ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ପ୍ରଥମ ସପ୍ତାହରୁ ବିଦେଶ ଭ୍ରମଣରେ ଯିବେ । ପ୍ରଧାନମନ୍ତ୍ରୀ ଜୁଲାଇ ୨ ରୁ ୫ଟି ଦେଶ ଗସ୍ତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ପ୍ରଧାନମନ୍ତ୍ରୀ ଘାନା ସହିତ ତ୍ରିନିଦାଦ-ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ଗସ୍ତରେ ରହିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପ୍ରଧାନମନ୍ତ୍ରୀ ମୋଦୀ ଘାନା ଗସ୍ତ । ପ୍ରଥମ ଥର ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିବେ । ଏହି ଦେଶଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୮ ଦିବସୀୟ ବିଦେଶ ଯାତ୍ରା ଘାନାରୁ ଆରମ୍ଭ ହୋଇ ନାମିବ୍ୟାରେ ଶେଷ ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଘାନାର ସଂସଦକୁ ସମ୍ବୋଧିତ କରିବା ସହିତ ବ୍ରାଜିଲରେ ହେବାକୁ ଥିବା ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ।
ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀରୁ ଘାନା ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେଠାରେ ଦୁଇ ଦିନ ରହଣିର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ମୋଦୀ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଦୁଇ ଦେଶ ଅର୍ଥନୈତିକ କାରବାର, ପ୍ରତିରକ୍ଷା ଓ ଶକ୍ତିକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ପରେ ତ୍ରିନିଦାଦ ଏବଂ ଟୋବାଗୋ ପାଇଁ ଜୁଲାଇ ୩ରେ ଗସ୍ତ କରିବେ । ସେଠାରେ ମଧ୍ୟ ଦୁଇ ଦିନ ରହିବେ । ୧୯୯୯ରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ମୋଦୀଙ୍କର ଏହା ପ୍ରଥମ ଗସ୍ତ ହେବ । ସେ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସାରଙ୍କୁ ଭେଟିବା ସହିତ ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିପାବାର କାର୍ଯ୍ୟକ୍ରମ ରହିଛି ।
ଜୁଲାଇ ୪ ଓ ୫ରେ ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନାରେ ରହିବେ । ମୋଦୀ ରାଷ୍ଟ୍ରପତି ଜାଭିୟର ମାଇଲିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରତିରକ୍ଷା, କୃଷି, ଖଣି, ତୈଳ ଏବଂ ଗ୍ୟାସ, ନବୀକରଣ ଯୋଗ୍ୟ ଶକ୍ତି ଏବଂ ବାଣିଜ୍ୟିକ ପ୍ରସଙ୍ଗ ମଧ୍ୟରେ ଦୁଇ ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ହେବାର ରହିଛି ।
ଆର୍ଜେଣ୍ଟିନା ପରେ ଜୁଲାଇ ୫ ରୁ ୮ତାରିଖ ଯାଏ ବ୍ରାଜିଲରେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ମୋଦୀ । ଏହା ମୋଦୀଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ ହେବ ।
ବିଦେଶ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଜୁଲାଇ୯ରେ ନାମିବ୍ୟା ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦାଇଟ୍ୱଙ୍କୁ ଭେଟିବେ । ନାମିବ୍ୟାର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସଂସଦକୁ ସମ୍ବୋଧିନ କରିବେ ମୋଦୀ ।