ନୂଆଦିଲ୍ଲୀ: ଦଳିତ ନାବାଳିକାକୁ ଗୋଟିଏ ରାଜ୍ୟରୁ ଅପହରଣ କରିବା ପରେ ଅନ୍ୟ ଏକ ରାଜ୍ୟରେ ଧର୍ମ ପରିବର୍ତ୍ତନ କରାଯାଇଛି । ଏହା ପରେ ଦେଶ ବିରୋଧୀ କାର୍ଯ୍ୟରେ ନିୟୋଜିତ କରିବାକୁ ହୀନ ଷଡ଼ଯନ୍ତ୍ର କରାଯାଇଥିଲା । ଉତ୍ତର ପ୍ରଦେଶ ପୋଲିସ ଏହାର ପର୍ଦ୍ଦାଫାସ କରିଛି । ପ୍ରୟାଗରାଜରୁ ଜଣେ ନାବାଳିକାକୁ ଅପହରଣ କରି କେରଳରେ ଧର୍ମ ପରିବର୍ତ୍ତନ କରାଯାଇଛି । ପ୍ରୟାଗରାଜ ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆହୁରି ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯେଉଁମାନେ ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି ପୋଲିସ କହିଛି ।
ପ୍ରୟାଗରାଜର ଅତିରିକ୍ତ ପୋଲିସ କମିଶନର ଅଜୟ ପାଲ ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା କହିଛନ୍ତି, ଜଣେ ଦଳିତ ନାବାଳିକା ଝିଅକୁ ପ୍ରୟାଗରାଜରୁ ଅପହରଣ କରି କେରଳ ନିଆଯାଇଛି । ଝିଅଟିକୁ ଅନ୍ୟ ଧର୍ମରେ ପରିବର୍ତ୍ତନ କରାଯାଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରାଇବାକୁ କୁହାଯାଇଥିଲା। ଦୁଇ ଜଣକୁ ହେପାଜତରେ ନେବା ପରେ ଜେରାରୁ ଜଣାପଡ଼ିଛି ଯେ ପ୍ରଥମେ ଝିଅଟି ସହିତ ଜଣେ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ତା'ପରେ ତାଙ୍କ ଭିତରେ ଧର୍ମ ପରିବର୍ତ୍ତନର ଭାବନା ସୃଷ୍ଟି କରାଯାଇଥିଲା । ଝିଅର ମନରେ ଅନ୍ୟ ଧର୍ମ ପ୍ରତି ସକାରାତ୍ମକତା ଭାବନା ଭରି ଦିଆଯାଇଥିଲା । ପରେ ମହିଳା ଜଣକ ତାଙ୍କ ସାଥୀମାନଙ୍କ ସହିତ ମିଶି ଝିଅଟିକୁ ପ୍ରୟାଗରାଜ ଷ୍ଟେସନକୁ ନେଇଯାଇଥିଲେ ।
ଯୁବତୀଙ୍କୁ ପ୍ରଥମେ ଉତ୍ତର ପ୍ରଦେଶରୁ ଦିଲ୍ଲୀ ନିଆଯାଇଥିଲା । ସେଠାରୁ ତାଙ୍କୁ କେରଳ ନିଆଯାଇଥିଲା। ରାସ୍ତାରେ ସେ ଅନେକ ଲୋକଙ୍କ ସହିତ ସାକ୍ଷାତ କରିଥିଲେ ଏବଂ କଥା ହୋଇଥିଲେ। କେରଳରେ ପହଞ୍ଚିବା ପରେ, ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିଲା। ତାଙ୍କୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ କରିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା । ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ସିପି ଅଜୟ ପାଲ ଶର୍ମା । ଖୁବଶୀଘ୍ର ଏହି ମାମଲାରେ ଅନ୍ୟମାନଙ୍କୁ ଗିରଫ କରାଯାଇପାରେ ।