ସଙ୍ଗାରେଡ୍ଡୀ: ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ଏକ ଫାର୍ମା କମ୍ପାନିରେ ସୋମବାର ଭୟଙ୍କର ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ଅତି କମରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି । ଏଥିରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫାୟର ଅଧିକାରୀଙ୍କ ଅନୁଯାୟୀ, ଏହି ବିସ୍ଫୋରଣ ମେଡକର ପସାମୈଲାରାମ ଫେଜ ୧ରେ ସ୍ଥିତ ସିଗାଚି ଫାର୍ମା କମ୍ପାନିରେ ହୋଇଛି । ତେବେ ବିସ୍ଫୋରଣର କାରଣ ଜଣା ପଡିନାହିଁ ।
ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀର ୧୧ ଗାଡି ନିୟୋଜିତ ହୋଇଛନ୍ତି । ଅନେକ ଶ୍ରମିକ ଏବେ ବି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ କାରଣରୁ ଇଣ୍ଡଷ୍ଟ୍ରୀର ସେଡ ଉଡି ଯାଇଛି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, କିଛି ଶ୍ରମିକ ୧୦୦ ମିଟର ଦୂର ଯାଏଁ ଛିଟିକି ପଡିଥିଲେ । ଅଧଧିକାରୀଙ୍କ ଅନୁଯାୟୀ, ପ୍ରାୟ ସମସ୍ତ ଶ୍ରମିକ ଫ୍ୟାକ୍ଟ୍ରି ବାହାରକୁ ଚାଲି ଆସିଛନ୍ତି । ତଥାପି ଆହୁରି କିଛି ଶ୍ରମିକ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି ।
କେବଳ ଏତିକି ନୁହେଁ ବିସ୍ଫୋରଣରେ ଆଖପାଖ ବିଲ୍ଡିଂ ବହୁ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାସ୍ଥଳରୁ କଳାଧୂଆଁ ବାହାରୁଥିବା ବେଳେ ଲୋକଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେଉଥିବା ଅଭିଯୋଗ ହୋଇଛି । ସତର୍କତାମୂଳକ ଆଖପାଖ ଅଞ୍ଚଳର ଲୋକଙ୍କୁ ଖାଲି କରାଯାଇଛି । ଅଧିକାରୀଙ୍କ ଅନୁସାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଛି ।