ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ସହିତ ବାଣିଜ୍ୟିକ ଚୁକ୍ତିକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଶୀଘ୍ର ଭାରତ ସହିତ ବାଣିଜ୍ୟିକ ଚୁକ୍ତିନାମା ହେବାକୁ ଯାଉଛି । ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି । ସେ ଆମେରିକା ସହିତ ଟ୍ରେଡ ଡିଲ୍ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଭାରତକୁ ଆମେରିକା ସହିତ ଭଲ ଡିଲ୍ କରିବା ଜରୁରୀ, ମାତ୍ର ଏହାକୁ ନେଇ କିଛି ସର୍ତ୍ତ ବି ରହିବ ।
ସୀତାରମଣ କହିଛନ୍ତି, ଭାରତରେ କୃଷି ଓ ଡାଏରୀ ସେକ୍ଟର ପାଇଁ ଏବେ ନିଶ୍ଚିତ ସୀମା ରହିଛି । ଏହା ଉପରେ ବିଚାର କରୁରୀ । ସବୁ ଦିଗକୁ ଦୃଷ୍ଟିରେ ରଖି ଆମେରିକା ସହ ଭଲ ଚୁକ୍ତିନାମା କରିବାକୁ ପଡିବ । ନିକଟରେ ଟ୍ରମ୍ପ କହିଥିଲେ ଯେ, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତିକୁ ନେଇ ସ୍ଥିତି ଜୁଲାଇ ୮ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ଟ୍ରମ୍ପଙ୍କ ମତରେ ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲକୁ ନେଇ ଥିବା ସମସ୍ତ ବାଧା ଶୀଘ୍ର ଦୂର ହୋଇପାରେ । ଚୁକ୍ତିନାମାରେ ଆଇଟି, ମ୍ୟାନୁଫେକଚରିଂ ଓ ସର୍ଭିସେସ୍ ସହିତ ଅଟୋମୋବାଇଲ ସେକ୍ଟର ବି ସାମିଲ । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତିକୁ ନେଇ ଅଦ୍ୟାବଧି ସ୍ଥିତି ସ୍ପଷ୍ଟ ହୋଇ ନାହିଁ । ଏହି ପ୍ରସଙ୍ଗରେ ଶୀଘ୍ର କିଛି ବଡ ଖବର ଆସିପାରେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ଭାରତ ପାଇଁ ଆମେରିକା ସହିତ ଟ୍ରେଡ ଡିଲ କରିବା କାହିଁକି ଜରୁରୀ । ଫାଇନାନସିଆଲ ଏକ୍ସପ୍ରେସକୁ ଦେଇଥିବା ସାକ୍ଷାତକାରରେ ନିର୍ମଳା କହିଛନ୍ତି, ଆମେ ଯେଉଁ ମୋଡରେ ଅଛୁ ଏବଂ ଯେଉଁ ହିସାବରେ ଆମର ଲକ୍ଷ୍ୟ ରହିଛି, ସେହି ଅନୁସାରେ ଯେତେ ଶୀଘ୍ର ଆମକୁ ମଜବୁତ ଅର୍ଥବ୍ୟବସ୍ଥା ଦେଶ ସହ ଚୁକ୍ତିନାମା କରିବାକୁ ପଡିବ । ଏହା ହିଁ ଆମ ପାଇଁ ଭଲ ରହିବ ।