ବର୍ତ୍ତମାନ ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ପ୍ରମୁଖ ଭୂମିକା ତୁଲାଉଛି । ଏହା ସାହାଯ୍ୟରେ ଆମେ କଥାବାର୍ତ୍ତା କରିବା, ସୂଚନା ସେୟାର କରିବା ଏବଂ ବନ୍ଧୁ ପରିଜନଙ୍କ ସହିତ ସଂଯୋଗ ହୋଇଥାଉ । ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଆମ ଦୈନନ୍ଦିନ ଜୀବନର ଏକ ବଡ଼ ଅଂଶ । ଏହା ସାମ୍ନାରେ ଏବେ ବିଶ୍ବ ଛୋଟ ଅନୁଭବ ହେଉଛି, କାରଣ ଦୂରତା ଆମକୁ ଆଉ ଅଲଗା ରଖିନାହିଁ । ଆମେ କୌଣସି ଅପଡେଟ୍ ପାଇବାଠୁ ଆରମ୍ଭ କରି, ଫଟୋ ସେୟାର କରିବା ଏବଂ ରିଅଲ୍-ଟାଇମ୍ରେ ଚାଟ୍ କରିବା ସବୁ କିଛି ସମ୍ଭବ ହୋଇପାରିଛି ।
ପ୍ରତିବର୍ଷ ଜୁନ 30 ତାରିଖରେ, ଆମ ଜୀବନରେ ସୋସିଆଲ ମିଡିଆର ପ୍ରଭାବକୁ ଚିହ୍ନିବା ପାଇଁ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି । ଏହି ଦିନଟି ସଂଯୋଗ ବୃଦ୍ଧି, ସଚେତନତା ବୃଦ୍ଧି ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସୋସିଆଲ ମିଡିଆର ଶକ୍ତିକୁ ସ୍ମରଣ କରାଇଥାଏ । ଏହା ଯୋଗାଯୋଗ, ସଂଯୋଗୀକରଣ ଏବଂ ସୂଚନା ବଣ୍ଟନ ଉପରେ ସୋସିଆଲ ମିଡିଆର ପରିବର୍ତ୍ତନକାରୀ ପ୍ରଭାବର ଏକ ବିଶ୍ବବ୍ୟାପୀ ଉତ୍ସବକୁ ଚିହ୍ନିତ କରିଥାଏ ।
ସୋସିଆଲ ମିଡିଆର ଉତ୍ପତ୍ତି
ସାମାଜିକ ଗଣମାଧ୍ୟମର ଗୁରୁତ୍ବ ବୁଝିବା ଏବଂ ବିଶ୍ବ ଯୋଗାଯୋଗରେ ଏହାର ଭୂମିକା ଉପରେ ଗୁରୁତ୍ବାରୋପ କରିବା ପାଇଁ ପ୍ରଥମେ 2010 ମସିହା ଜୁନ 30 ତାରିଖରେ ପ୍ରଥମ ସାମାଜିକ ଗଣମାଧ୍ୟମ ଦିବସ ଆୟୋଜନ କରିଥିଲା । ପ୍ରଥମ ସାମାଜିକ ନେଟୱାର୍କିଂ ସାଇଟ୍ 'SixDegrees' କୁ ଆଣ୍ଡ୍ରୁ ୱେନରିଚ୍ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା ଏବଂ 1997ରେ ଅନଲାଇନରେ ଲଞ୍ଚ ହୋଇଥିଲା । ଏହାପରେ 2001ରେ ଏହା ବନ୍ଦ ହେବା ପରେ, ବ୍ୟବହାରକାରୀମାନେ Facebook, MySpace ଏବଂ Friendster ଭଳି ପ୍ଲାଟଫର୍ମରେ ଯୋଗାଯୋଗ କରିବା ଆରମ୍ଭ କଲେ । ଏହି ମାଧ୍ୟମର ଲୋକପ୍ରିୟତା ଧୀରେ ଧୀରେ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ସମୟ ସହିତ ଅନେକ ଅନ୍ୟାନ୍ୟ ୱେବସାଇଟ୍ ବିକଶିତ ହୋଇଥିଲା ଯେଉଁଥିରେ Twitter, Instagram, LinkedIn ଏବଂ Snapchat ସାମିଲ ।
ସୋସିଆଲ ମିଡିଆର ଗୁରୁତ୍ବ
ଆପଣ ଦୁନିଆର ଯେଉଁଠାରେ ଥାଆନ୍ତୁ ନା କାହିଁକି, ସୋସିଆଲ ମିଡିଆ ଦୂରରେ ଥିବା ପରିବାର ସଦସ୍ୟଙ୍କ ସହିତ ସମ୍ପର୍କରେ ରହିବାକୁ ସହଜ କରିଥାଏ । ଏହା ଯୋଗାଯୋଗକୁ ସରଳ କରିଥାଏ ଏବଂ ଆପଣଙ୍କୁ ବର୍ଷ ବର୍ଷ ଧରି ଦେଖିନଥିବା ଲୋକଙ୍କ ସହିତ ପୁନଃ ସଂଯୋଗ କରିବାକୁ ଅନୁମତି ଦେଇଥାଏ । ଏହାସହିତ, ସୋସିଆଲ ମିଡିଆ ଆମକୁ ସ୍ଥାନୀୟ ଏବଂ ବିଶ୍ବସ୍ତରୀୟ ଘଟଣା ବିଷୟରେ ସୂଚନା ଦେଇଥାଏ ଏବଂ ନେଟୱାର୍କିଂ ସୁଯୋଗକୁ ସୁଗମ କରିଥାଏ । ଅନେକ ବ୍ୟକ୍ତି ସେମାନଙ୍କର ବ୍ୟବସାୟ ପାଇଁ ସୋସିଆଲ ମିଡିଆକୁ ମଧ୍ୟ ବ୍ୟବହାର କରନ୍ତି । ସୋସିଆଲ ମିଡିଆ ଆମ ଜୀବନକୁ କେତେ ଗଭୀର ଭାବରେ ପ୍ରଭାବିତ କରିଛି ତାହା ଆପଣ ନିଶ୍ଚୟ ହୃଦୟଙ୍ଗମ କରିପାରୁଥିବେ ।
ସୋସିଆଲ ମିଡିଆର ଫାଇଦା
• ଯୋଗାଯୋଗ: ସାମାଜିକ ଗଣମାଧ୍ୟମ ଦୂରତା ପ୍ରତିବନ୍ଧକକୁ ଦୂର କରିଛି, ଲୋକମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି ବନ୍ଧୁ ଏବଂ ପରିବାର ସହିତ ସମ୍ପର୍କ କରିପାରୁଛନ୍ତି। ଦୂର-ଦୂରାନ୍ତର ସମ୍ପର୍କ ପରିଚାଳନା କରିବା ସହଜ ହୋଇଥିବାରୁ ବିଶ୍ବବ୍ୟାସୀ ପରସ୍ପରର ନିକଟତର ହୋଇପାରିଛନ୍ତି।
• ସୂଚନା ଏବଂ ସଚେତନତା ବାଣ୍ଟିବା: ସାମାଜିକ ଗଣମାଧ୍ୟମ ଖବର ପ୍ରସାରଣ, ସାମାଜିକ ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ । କାରଣ ଏହାଦ୍ବାରା କୌଣସି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଅନ୍ୟ ସହ ବାଣ୍ଟିବା ସହଜ ହୋଇପାରେ ।
• ବ୍ୟବସାୟ ଏବଂ ମାର୍କେଟିଂ ସୁଯୋଗ: ସାମାଜିକ ଗଣମାଧ୍ୟମ ବ୍ୟବସାୟର ଧାରାକୁ ପରିବର୍ତ୍ତନ କରିଛି । ଏବେ କମ୍ପାନୀଗୁଡ଼ିକ ଅନେକ ଲୋକଙ୍କ ପାଖରେ ଖୁବ ସହଜରେ ପହଞ୍ଚିପାରୁଛନ୍ତି, ଗ୍ରାହକ ବିଶ୍ବସ୍ତତା ନିର୍ମାଣ କରିପାରୁଛନ୍ତି ଏବଂ ଗ୍ରାହକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରୁଛନ୍ତି । ଏପରିକି ସିଧାସଳଖ ଗ୍ରାହକଙ୍କ ସହିତ ଯୋଡ଼ି ହୋଇପାରୁଛନ୍ତି ।
• ଜ୍ଞାନ ଏବଂ ଶିକ୍ଷା: ସାମାଜିକ ଗଣମାଧ୍ୟମ ଅନଲାଇନ ଶିକ୍ଷା ଏବଂ ଜ୍ଞାନ ବାଣ୍ଟିବା ସହଜ କରି ଶିକ୍ଷାକୁ ପରିବର୍ତ୍ତନ କରିଛି । ସ୍କୁଲ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଜଡ଼ିତ କରିବା, କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ଉପଯୋଗୀ ସମ୍ବଳ ବାଣ୍ଟିବା ପାଇଁ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରନ୍ତି ।
ସୋସିଆଲ ମିଡିଆର କିଛି ରୋଚକ ତଥ୍ୟ
• ସାରା ବିଶ୍ବରେ 3.5 ବିଲିୟନ ବା 350 କୋଟି ଲୋକ ସୋସିଆଲ ମିଡିଆ ବ୍ୟବହାର କରନ୍ତି ।
• ପ୍ରତିଦିନ 500 ନିୟୁତ ଲୋକ ଇନଷ୍ଟାଗ୍ରାମରେ ଷ୍ଟୋରୀ ପୋଷ୍ଟ କରନ୍ତି ।
• ପ୍ରତିଦିନ ହ୍ବାଟସଆପ୍ ଏବଂ ଫେସବୁକ୍ ମେସେଞ୍ଜର ମାଧ୍ୟମରେ 60 ବିଲିୟନ SMS ମେସେଜ ପଠାଯାଏ।
• ପ୍ରତିଦିନ ହାରାହାରି ଫେସବୁକ୍ ବ୍ୟବହାରକାରୀ 35 ମିନିଟ୍ ପାଇଁ ଲଗଇନ୍ କରନ୍ତି ।
• ଫେସବୁକ୍ରେ 270 ନିୟୁତ ନକଲି ପ୍ରୋଫାଇଲ୍ ଥିବା ଜଣାପଡ଼ିଛି ।
• ପ୍ରତିଦିନ ୟୁଜର ହାରାହାରି 90 ମିନିଟ୍ ଅନଲାଇନ୍ ବିତାନ୍ତି, ଯେଉଁଥିରେ ସହରାଞ୍ଚଳ ଉପଭୋକ୍ତା 94 ମିନିଟ୍ ଓ ଗ୍ରାମାଞ୍ଚଳର ଉପଭୋକ୍ତା 89 ମିନିଟ୍ ବିତାନ୍ତି ।
• ପ୍ରତି ମିନିଟ୍ ରେ, YouTubeରେ 300 ଘଣ୍ଟାର ଭିଡିଓ ପୋଷ୍ଟ କରାଯାଏ ।
• ପ୍ରତିଦିନ 95 ନିୟୁତ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ୍ ହୁଏ ।
କେତେ ଭାରତୀୟ ସୋସିଆଲ ମିଡିଆ ବ୍ୟବହାର କରନ୍ତି ?
ଜାନୁଆରୀ 2025ରେ 'ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ' (IAMAI) ଏବଂ କାଣ୍ଟାର' ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 2025 ସୁଦ୍ଧା ଭାରତରେ 90 କୋଟିରୁ ଅଧିକ ଇଣ୍ଟରନେଟ୍ ୟୁଜର ରହିବେ ବୋଲି ଆଶା କରାଯାଉଛି, ଯେଉଁଥିରେ ଅନେକ ଉପଭୋକ୍ତା ଗ୍ରାମାଞ୍ଚଳରୁ ଆସିବେ । ଅନଲାଇନ୍ ବିଷୟବସ୍ତୁ ପାଇଁ ଭାରତୀୟ ଭାଷାର ବର୍ଦ୍ଧିତ ବ୍ୟବହାର ଦ୍ବାରା ଏହି ବୃଦ୍ଧି ଘଟିଛି ।
2021 ପରଠାରୁ ଏହି ଅଭିବୃଦ୍ଧି ହାର ହ୍ରାସ ପାଇଛି । 2024ରେ ଇଣ୍ଟରନେଟ୍ ଉପଭୋକ୍ତା ବୃଦ୍ଧି 10% ଥିଲେ, ଯାହା 2023ରେ 11% ଏବଂ 2022ରେ 14% ରହିଥିଲେ । ରିପୋର୍ଟ ଅନୁଯାୟୀ କେରଳ, ଗୋଆ ଏବଂ ମହାରାଷ୍ଟ୍ରରେ ଇଣ୍ଟରନେଟ୍ ବ୍ୟବହାର ସର୍ବାଧିକ ଥିବା ବେଳେ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାରରେ ସବୁଠାରୁ କମ୍ ଅଛି ।