ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତର ବଡ ପ୍ରସ୍ତୁତି । ଭାରତ ଗୋଟିଏ କି ଦୁଇଟି ନୁହେଁ ୫୨ ସାଟେଲାଇଟ୍ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି । ଏହି ସବୁ ସାଟେଲାଇଟ୍ ସେନା ପାଇଁ କାମ କରିବେ । ଏଥିରେ ପାକିସ୍ତାନ ସମେତ ଶତ୍ରୁ ଦେଶର ଅଞ୍ଚଳ ଉପରେ ତୀକ୍ଷ୍ମଣ ନଜର ରଖିବାରେ ବେଶ ସହାୟକ ହେବ । ଏହା ବ୍ୟତୀତ ସେନା ପାଇଁ ଏକ ସ୍ୱତନ୍ତ୍ର ସ୍ପେସ ଡକ୍ଟ୍ରିନକୁ ଅନ୍ତିମ ରୂପ ଦେବାର ପ୍ରକ୍ରିୟା ଚାଲିଛି । ଉଲ୍ଲେଖନୀୟ ଅପରେସନ ସିନ୍ଦୂର ସମୟରେ ଭାରତ ସାଟେଲାଇଟ୍ ସିଷ୍ଟମ ଦମରେ ବେଶ ସଫଳତାର ସହ ପାକିସ୍ତାନର ବିଭିନ୍ନ ସୈନ୍ୟ ଘାଟି ଉପରେ କଡା ନଜର ରଖି ପାରିଥିଲା । ଏହା ସେନାକୁ ସଠିକ ଲକ୍ଷ୍ୟଭେଦ କରିବାରେ ବେଶ ସହାୟକ ହୋଇଛି ।
ଭାରତ ଦ୍ୱାରା ଏହି ସାଟେଲାଇଟ୍ ଉତକ୍ଷେପଣ ସ୍ପେସ ଆଧାର ସର୍ଭିଲାନ୍ସ ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟର ଅଂଶ । ଏହି କାର୍ଯ୍ୟକ୍ରମକୁ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍ କମିଟିରୁ ମଞ୍ଜୁରୀ ମିଳିଥିଲା । ଏହି ପ୍ରୋଜେକ୍ଟର ମୋଟ୍ ବ୍ୟୟ ୨୬ ହଜାର ୯୬୮ କୋଟି ଟଙ୍କା । ଏହାରି ଆଧାରରେ ୨୧ ସାଟେଲାଇଟ୍ ଇସ୍ରୋ ଲଞ୍ଚ କରିବ । ଅବଶିଷ୍ଟ ୩୧ ସାଟେଲାଇଟ୍ ପ୍ରାଇଭେଟ୍ କମ୍ପାନି ଦ୍ୱାରା ଲଞ୍ଚ କରାଯିବ । ପ୍ରଥମ ଦୁଇଟି ସାଟେଲାଇଟ୍ ଆସନ୍ତା ବର୍ଷ ଏପ୍ରିଲରେ ଉତକ୍ଷେପଣ କରାଯିବ । ୨୦୨୯ ଶେଷ ସୁଦ୍ଧା ସମସ୍ତ ୫୨ ସାଟେଲାଇଟ୍ ମହାକାଶରେ ଅବସ୍ଥାପିତ କରି ଦିଆଯିବ ।
ଏହା ଡିଫେନ୍ସ ସ୍ପେସ ଏଜେନ୍ସିର ପ୍ରୋଜେକ୍ଟର ଅଂଶ ବିଶେଷ । ଏହା ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେବ । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସାଟେଲାଇଟର ଲଞ୍ଚିଂ ସମୟସୀମା ଭିତରେ ରଖିବାକୁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ତିନି ଘରୋଇ କମ୍ପାନି ସହ ଚୁକ୍ତି ହୋଇ ସାରିଛି । ଏହି ସବୁ କମ୍ପାନିକୁ ନିଜର ପ୍ରୋଜେକ୍ଟକୁ ଶୀଘ୍ର ସାରିବାକୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଏସବିଏସ-୩ର ଲକ୍ଷ୍ୟ ଚୀନ ଓ ପାକିସ୍ତାନର ଅଧିକରୁ ଅଧିକ ଅଞ୍ଚଳ ଉପରେ ନଜର ରଖିବା । ଏହା ବ୍ୟତୀତ ଭାରତ ମହାସାଗର ଉପରେ ମଧ୍ୟ ନଜର ରଖାଯିବ । ଏହା ବାଦ୍ ସ୍ପେସ ଡକ୍ଟ୍ରିନକୁ ନେଇ ମଧ୍ୟ କାମ ଦ୍ରୁତ ଗତିରେ ଚାଲିଛି । ଏଥିସହ ଭାରତୀୟ ବାୟୁସେନା ତିନୋଟି ହାଇ ଅଲଟିଚ୍ୟୁଟ ପ୍ଲାଟଫର୍ମ ସିଷ୍ଟମ ଏୟାରକ୍ରାଫ୍ଟ ପ୍ରସ୍ତୁତିରେ ଜୁଟି ଯାଇଛି । ଏହି ଏୟାରକ୍ରାଫ୍ଟ ମାନବବିହୀନ ରହିବ ଏବଂ ସାଟେଲାଇଟ୍ ଆଧାରରେ ଚାଲିବ ।