ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ଓ ଝଡ଼ବର୍ଷାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ମିଳିଛି । ଆଜି ୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି ପାଇଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼, ସମ୍ବଲପୁର ଓ ବରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖରେ ୩୫-୪୫ କିଲୋମିଟରରୁ ୫୫ କିଲୋମିଟରରେ ପବନ ବହିବା ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।
ସମୁଦ୍ର ଅଶାନ୍ତ ଥିବାରୁ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖରେ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୩ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ସମସ୍ତକୁ ସତର୍କତାର ସହିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।