ଭୁବନେଶ୍ୱର: ଜମିଦାର ହେବାକୁ ସ୍ୱପ୍ନ ଦେଖୁଥିବା ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ଏବଂ ଜଳ ଛାୟା ପ୍ରକଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ ହେବା ପରେ ଜେଲ୍ ଯାଇଛନ୍ତି । ଭବାନୀପାଟଣା ଭିଜିଲାନ୍ସ କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିବା ସହିତ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଜେଲ୍ ପଠାଇ ଦେଇଛନ୍ତି ।
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କର ୮ ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା । ଭୁବନେଶ୍ୱର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଯାଞ୍ଚ ବଡ଼ ଧରଣର ଚଢ଼ଉ ହୋଇଥିଲା । ଦୟାନିଧି ବାଗ ଅତି ଚାଲାକର ସହିତ ଜମା ରାଶି କମ୍ ରଖିଥିବାବେଳେ ଏକର ଏକର ଜମି ହାତେଇଛନ୍ତି । ମୋଟ ୮୪ ଏକର ଜମିରେ କୋଠା ଏବଂ ଫାର୍ମ ହାଉସ୍ ନିର୍ମାଣ କରିଛନ୍ତି । ସ୍ତ୍ରୀଙ୍କ ନାଁରେ ୨ଟି କୋଠା, ଗୋଟିଏ ୩ବିଏଚକେ ଫ୍ଲାଟ୍, ୨ଟି ଫାର୍ମ ହାଉସ୍ ଏବଂ ଗୋଟିଏ ସପିଂ କମ୍ଲେକ୍ସ ଭିଜିଲାନ୍ସ ହାତରେ ଲାଗିଥିଲା । ଖାଲି ସେତିକି ନୁହେଁ ୫୫ ଲକ୍ଷ ଜମା ରାଶି ସହିତ ଗୋଟିଏ ବେନାମୀ କାର୍ ମଧ୍ୟ ମିଳିଛି । ମୋଟ ଜବତ ସମ୍ପତ୍ତିର ମୂଲ୍ୟ ୨୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି ।
ତେବେ ଭିଜିଲାନ୍ସ ଟିମ୍ ଦୟାନିଧି ବାଗଙ୍କୁ ଅଟକ ରଖି ଜେରା କରିବା ପରେ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୧୦ ଜଣ ଡିଏସପି, ୮ ଇନସ୍ପେକ୍ଟର୍, ୧୦ ଆସିଷ୍ଟାଣ୍ଟ ଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ପୂର୍ବ ମାସରେ ଭିଜିଲାନ୍ସ ଦ୍ୱାରା ରୁଜୁ ହୋଇଥିବା ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତ ମେ ୨୨ରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଏକ ଅଭିଯୋଗ ଆଧାରରେ ଚଢ଼ଉ ହୋଇଛି । କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୨୩ଟି କୃଷି ପୋଖରୀ ଖନନ ନ କରି ୨୦ ଲକ୍ଷରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଥିଲା । ଏହି ମାମଲାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିବା ଭିଜିଲାନ୍ସ ଟିମ୍ ।