ନୂଆଦିଲ୍ଲୀ: ପ୍ରଥମେ ରୋହିତ ଶର୍ମା । ଏବେ ବିରାଟ କୋହଲି । ୫ ଦିନରେ କ୍ରିକେଟର ଦୁଇ ବରିଷ୍ଠ ବ୍ୟାଟର ଟେଷ୍ଟରୁ ସନ୍ନ୍ୟାସ ନେଇଛନ୍ତି । ଏହା ସହିତ ଭାରତୀୟ କ୍ରିକେଟ୍ ଯୁଗର ଏକ ଅନ୍ତ ଘଟିଛି । ଏବେ ମଇଦାନରେ ଧଳା ଜର୍ସିରେ ଦର୍ଶକ ଆଉ ରୋ-କୋ ଦେଖିବାକୁ ପାଇବେ ନାହିଁ । ବିଶେଷ କରି ବିରାଟ କୋହଲି ନିଜର ସନ୍ନ୍ୟାସ ଘୋଷଣାରେ ଭାରତୀୟ କ୍ରିକେଟରେ ଏକ ବଡ ଉଦାହରଣ ସୃଷ୍ଟି କରିଛନ୍ତି । ଏମିତି ସମୟରେ ସେ ସନ୍ନ୍ୟାସ ନେଇଛନ୍ତି, ଯେଉଁଠି ପ୍ରତ୍ୟେକ ଲୋକଙ୍କ ମୁହଁରୁ ବାହାରୁଛି ଏତେ ଶୀଘ୍ର ଅବସର ନେବାର କଣ ଆବଶ୍ୟକତା ଥିଲା ।
ବିରାଟ କୋହଲି ୩୬ ବର୍ଷ ବୟସର । ମାତ୍ର ତାଙ୍କର ଫିଟନେଓ, ଏନର୍ଜି ଲେବଲ, ତାଙ୍କର ଜୋସ, ତାଙ୍କର ଫୂର୍ତ୍ତି, ତାଙ୍କର ଉତ୍ସାହ ସବୁ କିଛି ଏମିତି ଥିଲା, ଯାହା ଦେଖି ଯୁବରୁ ଯୁବ ଖେଳାଳି ବି ନିଜକୁ ଲଜ୍ଜିତ ମନେ କରିବ । ଟେଷ୍ଟ କ୍ରିକେଟରେ ବିରାଟଙ୍କ ବହୁତ କ୍ରିକେଟ୍ ବାକି ଥିଲା । ତଥାପି ବିରାଟ କୋହଲି ଏମିତି କରିଛନ୍ତି, ଯାହା ଭାରତୀୟ କ୍ରିକେଟ୍ ଇତିହାସରେ ବହୁତ ଦୁଲର୍ଭ । ଶୀର୍ଷରେ ରହି ସନ୍ନ୍ୟାସ ନେଇଛନ୍ତି । ଦଳ ଉପରେ ବୋଝ ହୋଇ କ୍ୟାରିୟରକୁ ଲମ୍ବା ଟାଣିବାକୁ ଉଦ୍ୟମ କରି ନାହାନ୍ତି । କ୍ୟାରିୟରରେ କେବେ ଏମିତି ସମୟ ଆସିବାକୁ ଦେଇ ନାହାନ୍ତି, ଯେଉଁଠି ଲୋକେ ପ୍ରଶ୍ନ କରିବେ ସନ୍ନ୍ୟାସ କାହିଁକି ନେଉ ନାହାନ୍ତି । ଲୋକେ ଏବେ ପ୍ରଶ୍ନ କରୁଛନ୍ତି ଯେ, ଏବେ ସନ୍ନ୍ୟାସ କାହିଁକି ନେଲ ?
କୋହଲି ଚାହିଁଥିଲେ ଆଉ ବର୍ଷେ କି ଦୁଇ ବର୍ଷ ଟେଷ୍ଟ କ୍ରିକେଟ୍ ଖେଳି ପାରିଥାନ୍ତେ । ବିସିିସିଆଇ ତ ତାଙ୍କୁ ସନ୍ନ୍ୟାସ ନ ନେବାକୁ ମନାଉଥିଲା । ମାତ୍ର କିଙ୍ଗ କୋହଲି ନିଜର ହୃଦୟର କଥା ଶୁଣିଛନ୍ତି । ଯୁବ କ୍ରିକେଟରଙ୍କ ପାଇଁ ପଥ ପରିଷ୍କାର କରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ କୋହଲି ସେହି ସମୟରେ ସନ୍ନ୍ୟାସ ନେଲେ ଯେତେବେଳେ ସେ ଦମଦାର ବ୍ୟାଟିଂ କରି ଭାରତୀୟ ଦଳକୁ ଚାମ୍ପିଅନ କରାଇବାରେ ବଡ ଭୂମିକା ଗ୍ରହଣ କରିଥିଲେ ।
ଅଧିନାୟକତ୍ୱ ନେଇ ମଧ୍ୟ ତାଙ୍କର ଏହି ଆଭିମୁଖ୍ୟ ଥିଲା । ସେହି ସମୟରେ ଦଳର ନେତୃତ୍ୱ ଛାଡି ଦେଲେ ଯେତେବେଳେ ଅଧିନାୟକ ଭାବେ ତାଙ୍କର ରେକର୍ଡ ଦମଦାର ଥିଲା । ଅଧିନାୟକ ଭାବେ ସେ ୬୮ଟି ମ୍ୟାଚ୍ ଖେଳିଛନ୍ତି । ଏଥିରୁ ଦଳ ୪୦ଟି ଜିତିଥିବା ବେଳେ ୧୭ଟି ପରାଜୟ ଓ ୧୧ଟି ମ୍ୟାଚ୍ ଡ୍ର ରହିଥିଲା । ସେ ବିଦେଶ ମାଟିରେ ଭାରତୀୟ ଦଳର ବିଜୟକୁ ଅଭ୍ୟାସରେ ପରିଣତ କରିଥିଲେ ।
ଏକ ଦିବସୀୟ କ୍ରିକେଟରେ ତ ବିରାଟ କୋହଲିଙ୍କର କାହାରି ତୁଳନା ନାହିଁ । କିନ୍ତୁ ଟେଷ୍ଟରେ ନିଜ ସମୟରେ ସେ ସର୍ବଶ୍ରେଷ୍ଠ ଖେଳାଳି ରହିଛନ୍ତି । ଏହି ଫର୍ମାଟରେ ସେ ଭାରତର ସର୍ବଶ୍ରେଷ୍ଠ ଅଧିନାୟକ । ସେ ୧୨୩ ଟେଷ୍ଟରେ ୨୧୦ ଇନିଂସରେ ୪୬.୮୫ ହାରରେ ୯୨୩୦ ରନ କରିଛନ୍ତି । ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ । ୭ ଦ୍ୱିଶତକ ବି ସେ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତୀୟ କ୍ରିକେଟର ଭାବେ ସର୍ବାଧିକ ଦ୍ୱିଶତକର ରେକର୍ଡ ତାଙ୍କ ନାଁରେ ରହିଛି । ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗ ୬ଟି ଲେଖାଏଁ ଦ୍ୱିଶତକ ହାସଲ କରିଥିଲେ ।