ଭୁବନେଶ୍ୱର : ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେବ କାଳବୈଶାଖୀ ବର୍ଷାରେ ସାମାନ୍ୟ ଆଶ୍ବସ୍ତି ଅନୁଭବ ପରେ ପୁଣି ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ଉତପ୍ତ ସହର । ଏହାପରେ ରାଜଧାନୀ ଭୁବନେଶ୍ବର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ବରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରର ଆଜିର ତାପମାତ୍ରା ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ରେକର୍ଡ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୦.୪ ଛୁଇଁଛି । ଗତକାଲି ଭୁବନେଶ୍ବର ତାପମାତ୍ରା ୪୦.୨ ପର୍ଯ୍ୟନ୍ତ ଯାଇଥିଲା । ସେହିପରି ହୀରାକୁଦରେ ୪୦.୪, ରାଉଲକଲାରେ ୪୦, ଚାନ୍ଦବାଲି ୩୯.୨, ବାଲେଶ୍ବରରେ ୩୮.୨ ଏବଂ ଝାରସୁଗୁଡାରେ ଦିନ ୨.୩୦ ସୁଦ୍ଧା ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।
ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଆସନ୍ତା ୧୫ ତାରିଖ ଯାଏଁ ପ୍ରଚଣ୍ଡ ତାତିରୁ ମିଳିବନି ନିସ୍ତାର । ତେବେ ଏହା ମଧ୍ୟରେ ଭଲ ଖବର ରହିଛି ଯେ ମେ ୨୭ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଛି ।