ଭୁବନେଶ୍ଵର: ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଚାଲିଛି ଯୁଦ୍ଧ ପ୍ରସ୍ତୁତି। ଏହି କ୍ରମରେ କେନ୍ଦ୍ର ସରକାର ସମଗ୍ର ଦେଶରେ ବୁଧବାର ନାଗରିକଙ୍କ ପାଇଁ ସୁରକ୍ଷା ପାଇଁ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମ ରେ ଓଡିଶାର କାଲି ୧୨ଟି ଜିଲ୍ଲାରେ ହେବ ମକ ଡ୍ରିଲ । ମକଡ୍ରିଲ ପୂର୍ବରୁ ଆଜି ଗୃହ ବିଭାଗ ସଚିବ ବୈଠକ କରି ଯୋଜନା ପ୍ରସୁତ କରିଛନ୍ତି । ବୈଠକରେ ଅଗ୍ନିଶମ ଡିଜିଙ୍କ ସହ ଓସଡମାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ଉପକୂଳ ଜିଲ୍ଲା ଏବଂ ସହରାଞ୍ଚଳରେ ମକ ଡ୍ରିଲ ନେଇ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାର ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ହେବ। ସେହି ସ୍ଥାନଗୁଡିକ ହେଲା ତାଳଚେର, ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଢେଙ୍କାନାଳ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । କାଟାଗୋରି-୧ରେ ରହିଛି ତାଳଚେର । କାଟାଗୋରୀ-୨ ରେ ରହିଛି ରାଉରକେଲା, ହୀରାକୁଦ, ବାଲେଶ୍ବର, ପାରାଦୀପ, ଭୁବନେଶ୍ବର, ଗୋପାଳପୁର, କୋରାପୁଟ । ସେହିପରି କାଟାଗୋରି-୩ରେ ରହିଛି ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ।
ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଗୃହ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି । ତାଳଚେର, ଜଗତସିଂହପୁର, ପାରାଦୀପ ବାଲେଶ୍ବର ଆଦି ସ୍ଥାନରେ ଆଜି ମକଡ୍ରିଲ୍ ପ୍ରସ୍ତୁତି ହୋଇଛି । ଦେଶର ମୋଟ ୨୫୯ ଟି ସିଭିଲ ଡିଫେନ୍ସ ଡିଷ୍ଟ୍ରିକ୍ଟି ବା ନାଗରିକ ପ୍ରତିରକ୍ଷା ଜିଲ୍ଲା ରହିଛି । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ୫୪ ବର୍ଷ ପରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ କରାଯିବାକୁ ଯୋଜନା ହୋଇଛି ।
ଆସନ୍ତାକାଲିଠୁ ସପ୍ତାହେ ବ୍ୟାପି ପର୍ଯାୟକ୍ରମେ ମକ୍ ଡ୍ରିଲ ହେବ । ଏହାର ଲକ୍ଷ୍ୟ ହେଉଛି ଶତ୍ରୁ ବିମାନ ଯଦି ଆକ୍ରମଣ କରେ ସାଇରନ ବଜାଇ ସାଧାରଣ ଲୋକଙ୍କୁ ସତର୍କ କରିବା । ଆସନ୍ତାକାଲି ଅପରାହ୍ଣ ୪ଟା ବେଳେ ଲମ୍ବା ସାଇରନ ବାଜିବ । ସାଇରନ୍ ବାଜିବା ମାତ୍ରେ ସମସ୍ତେ ପକ୍କା ଘରକୁ ଚାଲିଯିବାକୁ ଅନୁରୋଧ କରାଯାଇଛି । ବସ୍ତି ଅଞ୍ଚଳ ଲୋକଙ୍କ ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ଆଶ୍ରୟ ସ୍ଥଳକୁ ନେବା ପାଇଁ କୁହାଯାଇଛି ।
ସାଇରାନ ପୁଣି ବାଜିବାପରେ ଏହା ବନ୍ଦ ହେଲା ବୋଲି ଜାଣି ପାରିବେ । କାଲି ସୁଦ୍ଧା ଜିଲ୍ଲା ସ୍ତରରେ ନିଯନ୍ତ୍ରଣ କକ୍ଷ କାମ କରିବା ଆରମ୍ଭ କରିବ । ଏଥିରେ ସମସ୍ତେ ସହଯୋଗ କରିବାକୁ କହିଛନ୍ତି ଅଗ୍ନିଶମ ଡିଜି । ସେହପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଯେକୌଣସି ମୁକାବିଲା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ବୋଲି କହିଛନ୍ତି।