ଭୁବନେଶ୍ୱର : ସମ୍ଭାବ୍ୟ ଯୁଦ୍ଧରେ ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ସପ୍ତାହ ପର୍ଯ୍ୟନ୍ତ ମକ୍ ଡ୍ରିଲ ହେବ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆସନ୍ତାକାଲି ବାରଟି ସ୍ଥାନରେ ମକ୍ ଡ୍ରିଲ ହେବା ପରେ ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ । ଯୁଦ୍ଧ ସମୟରେ କଣ କରିବାକୁ ପଡେ ତା ଉପରେ ମଧ୍ୟ ଆଡଭାଇଜରୀ ମଧ୍ୟ ଆସିବ । କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକ୍ ଡ୍ରିଲରେ ଭୂମିକା ରହିବ । ଜନସାଧାରଣ ଭୟବିତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ । କୌଣସି ପରିସ୍ଥିତି ସୃଷ୍ଟି ହେଲେ ସାମ୍ନା କରିବା ପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି, କେତେବେଳେ କଣ ହେବ କିଛି କହି ହେବନି । ଏବେ ପାକିସ୍ତାନରେ ହାହାକାର । କେବଳ ଭାରତ ନୁହେଁ ଆମେରିକା ଭଳି ଦେଶ ମଧ୍ୟ ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଛି ।
ସୂଚନାଯୋଗ୍ୟ ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ମକଡ୍ରିଲ କାର୍ଯ୍ୟକ୍ରମ ଚାଲିବ । ଭୁବନେଶ୍ୱର ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ମକଡ୍ରିଲ୍ । ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ମକଡ୍ରିଲ ମାଧ୍ୟମରେ ସାଧାରଣ ଲୋକଙ୍କୁ ଏନେଇ ଅବଗତ କରାଯିବ । ଅପରାହ୍ନ ଚାରିଟାରୁ ପ୍ରାୟ ୫ ମିନିଟ୍ ଧରି ସାଇରନ୍ ବାଜିବ, ମକଡ୍ରିଲ ଆରମ୍ଭ ହେବ । ପୁଣି ସାଇରନ୍ ବାଜିଲେ ମକଡ୍ରିଲ୍ ସରିଲା ବୋଲି ଜଣାଇଦିଆଯିବ । ସାଧାରଣତଃ କଂକ୍ରିଟ୍ ଛାତ ତଳେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବ । ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା ହେବ ବୋଲି ଅଗ୍ନିଶମ ଡିଜି କହିଛନ୍ତି ।