ଭୁବନେଶ୍ୱର : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ ପୁଣି ଥରେ କରିପାରିବେ ଆବେଦନ। ସୁଭଦ୍ରା ଯୋଜନାକୁ ନେଇ ଆଜି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ। ତାସହ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ହେବ ସର୍ଭେ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି। ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି। ଭତା ପାଇଁ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ । ଏହି ଆଧାରକୁ ନେଇ ପୁଣି ଥରେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ବୋଲି ଉପମୁଖ୍ୟ କହିଛନ୍ତି ।
ଆଜି ଲୋକସେବା ଭବନ ସମ୍ମୀଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ଦକ୍ଷତା ବିକାଶ କର୍ମଶାଳା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ମୁଖ୍ୟ ଶାସନ ସଚିବ ଓ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଉପସ୍ଥିତ ଅଛନ୍ତି । ଏହି ଅବସରରେ ସୁଭଦ୍ରା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।