ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ଜିତେନ ମହାରଣା । ସେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧୀନ କାଚପଡା ଗ୍ରାମର ବାସିନ୍ଦା ଅଟେ । ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ରାୟଗଡା ଜିଲ୍ଲା କୁନ୍ଦୁରା ଥାନା କୋମାସାହିର ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ, କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ଵର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।
କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା ମୁତାବକ, ପରୀକ୍ଷା ପୂର୍ବରୁ ଜୀତେନ ପ୍ରଥମେ ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନ ଡ୍ରାଇଭରେ ନେଇଥିଲା । ପରେ ସେ ଏହାକୁ ଶିକ୍ଷକ ବିଜୟ ମିଶ୍ର ଏବଂ ସନାତନ ବିଶୋୟୀଙ୍କୁ ଦେଇଥିଲେ । ଏହାକୁ ସେମାନେ ଦଲାଲ ରାମଜୀ ପ୍ରସାଦ ଗୁପ୍ତାଙ୍କୁ ଦେଇଥିଲେ । ଅଜୟ ସାହୁ ଏବଂ ଜୟନ୍ତ ରାଉତଙ୍କୁ ରାମଜୀ ଉକ୍ତ ପ୍ରଶ୍ନ ପତ୍ରକୁ ବିକ୍ରି କରିଥିଲା । ଏଥିପାଇଁ ଜୀତେନକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ସେମାନଙ୍କ ନିକଟରୁ ୬ଟି ମୋବାଇଲ ଜବତ କରିଛି । ଆଗକୁ ତଦନ୍ତ ଜାରି ରହିବ ଏବଂ ଯଦି ଏଥିରେ ଅନ୍ୟମାନେ କେହି ସମ୍ପୃକ୍ତ ଥିବେ ତେବେ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ଏଡିଜି ।