ଭୁବନେଶ୍ୱର: ବିଜେଡ଼ି ନେତା ପ୍ରୀତି ରଞ୍ଜନ ଘଡ଼େଇଙ୍କୁ ଶାଳୀନତାର ପାଠ ପଢାଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଜଣେ କଥା କହିବାର ଶୈଳୀ ଠିକ୍ ରଖିବା ସହ ଭାଷା ଜ୍ଞାନ ରହିବା ଦରକାର । ଲୋକଙ୍କୁ ଭୁଲ ବାଟରେ ପରିଚାଳିତ କରିବା, ନକାରାତ୍ମକ କଥା ଲୋକଙ୍କୁ ଶିଖାଇବା ଦ୍ଵାରା ସମାଜ ସହ ତାଙ୍କ ନିଜର ମଧ୍ୟ କ୍ଷତି ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ପ୍ରୀତିରଞ୍ଜନ ଓରଫ୍ ଡାନିଙ୍କ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସମବାୟ ମନ୍ତ୍ରୀ । ଯେଉଁଠି କଥା କହୁଛନ୍ତି ଶାଳୀନତା ରହିବା ଦରକାର । ଶାଳୀନତା ଭୁଲି ଗଲେ, ସୀମା ଟପି ଗଲେ କେହି ଆମକୁ କ୍ଷମା ଦେବେ ନାହିଁ । ଲୋକଙ୍କୁ ଭୁଲ ବାଟରେ ପରିଚାଳିତ କରିବା, ନକାରାତ୍ମକ କଥା ଲୋକଙ୍କୁ ଶିଖାଇବା ଦ୍ଵାରା ସମାଜ ସହ ତାଙ୍କ ନିଜର ମଧ୍ୟ କ୍ଷତି ହେବ । ସେଦିନ ପ୍ରୀତି ରଞ୍ଜନ କେମିତି ଉତ୍ୟକ୍ତ ଭାଷଣ ଦେଉଥିଲେ ସବୁ ଭିଡ଼ିଓ ଲୋକଙ୍କ ସାମ୍ନାରେ ଅଛି । ସେ କହୁଥିଲେ, ନିଆଁ ଲଗାଅ, ଗାଡ଼ି ପୋଡ଼, ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କର । ସେ ଲୋକର ଦୁର୍ଘଟଣା ଜନିତ ମୃତ୍ୟ ହୋଇଥିଲା । ସେ ପ୍ଲାଣ୍ଟରେ କାମ କରୁ ନଥିଲେ କି ଡ୍ୟୁଟି ଯାଇନଥିଲେ । ଯଦି ସେ ଲୋକ ପ୍ଲାଣ୍ଟର କର୍ମଚାରୀ, ତେବେ ଭଲରେ କହିଥିଲେ କ୍ଷତିପୂରଣ ପାଇଥାନ୍ତେ । କିନ୍ତୁ ପ୍ରୀତି ରଞ୍ଜନଙ୍କ ନକରାତ୍ମକ କଥା ଯୋଗୁଁ ସେଦିନ ସେ ଲୋକ ଆର୍ଥିକ ସାହାଯ୍ୟରୁ ବଞ୍ଚିତ ହେଲା । ଆମେ ସେବା ପାଇଁ ରାଜନୀତି କରୁଛନ୍ତି, ନିଜକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ବାଃ ବାଃ ନେବା ପାଇଁ ରାଜନୀତି କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ।
ମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ସୁକିନ୍ଦାକୁ ଏକ କରି ପରିବାର ଭଳି ଚଳିବା ପାଇଁ ଯେତେ ଚେଷ୍ଟା କଲେ ବି ଘଡ଼େଇ ପରିବାର କରାଇ ଦେଉନାହାନ୍ତି । ଯେହେତୁ ସେ ସୁକିନ୍ଦାର ଅଧିବାସୀ ନୁହନ୍ତି, ସେଥିପାଇଁ ଭାଗ ଭାଗ ରାଜନୀତି କରି ଭୋଟ ନେବେ ବୋଲି ସବୁବେଳେ ଉଦ୍ୟମ କରୁଛନ୍ତି । ମୁଁ ଭୋଟ ରାଜନୀତି କରୁନାହିଁ, ଭାଇଚାରା ରାଜନୀତି କରୁଛି।”
ଏଠାରେ ଉଲ୍ଲେଖ ଯୋଗ୍ୟ, ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ନଟିସାହି ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ପୁଅ ଅଭିମନ୍ୟୁ ମହାନ୍ତ(୪୨) ଜିନ୍ଦଲ କାରଖାନାରେ ଗାୟତ୍ରୀ ଏଣ୍ଟରପ୍ରାଇଜେସ୍ ଅଧୀନରେ ଅଣକୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ସାଙ୍ଗଙ୍କ ସହିତ ଆସୁଥିବାବେଳେ ଶିଳ୍ପାଞ୍ଚଳ ଅନ୍ତର୍ଗତ ଏକ କାରଖାନାର ବସ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ଶବ ରଖି ରାସ୍ତାରୋକ କରିବା ସମୟରେ ଘଟଣା ସ୍ଥଳରେ ପ୍ରୀତିରଞ୍ଜନ ଘଡ଼ାଇ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନରେ ସାମିଲ ହୋଇ ବିକ୍ଷୋଭ କରିଥିଲେ ।