ଦିଲ୍ଲୀ: ପାକିସ୍ଥାନର ଆତଙ୍କବାଦୀ ଗଡ଼ରେ ବିଧ୍ୱଂସଲୀଳା ରଚିଛି ସ୍କାଲ୍ପ କୄଜ ମିଶାଇଲ୍ ଓ ହାମ୍ମର ପ୍ରିସିସନ ଗାଇଡେଡ଼ ଯୁଦ୍ଧାସ୍ତ୍ର । ତେବେ ଏଗୁଡିକ କେବଳ ସେଠାରେ ଧମାକା ସୃଷ୍ଟି କରିନି, ଏହି ଯୁଦ୍ଧାସ୍ତ୍ର ସେଠାରେ ପ୍ରଳୟଙ୍କରୀ ତାଣ୍ଡବଲୀଳା ରଚିଛି । ଏହି ଯୁଦ୍ଧାସ୍ତ୍ର ଗୁଡିକ ରାଫେଲ ଜେଟ୍ ରେ ସୁସଜ୍ଜିତ ହୋଇ ଶତ୍ରୁ ଗଡ଼ରେ ଆତଙ୍କବାଦୀ ମାନଙ୍କୁ ନିପାତ କରିଛି ।
ମଙ୍ଗଳବାର ମଧ୍ୟରାତ୍ରର କିଛି ପ୍ରହର ପରେ ପାକିସ୍ଥାନର ୯ଟି ସ୍ଥାନରେ ଯୁଦ୍ଧାସ୍ତ୍ର ବର୍ଷା କରିଥିଲା ଭାରତୀୟ ସେନା । ପାକିସ୍ଥାନ ଅଧିକୃତ କାଶ୍ମୀର ଅନ୍ତର୍ଗତ ବାହାୱଲପୁର ଓ ମୁଦ୍ରିକେ ଆଦି ଆତଙ୍କବାଦୀପ୍ରବଣ ଅଞ୍ଚଳ ଯେଉଁଠାରେ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ଅଡ୍ଡାରେ ହାହାକାର ଖେଳିଯାଇଛି ।
ଭାରତୀୟ ଆକାଶବାହିନୀ ସହିତ ଏହି ଅପରେସନ୍ ରେ ସ୍ଥଳ ଓ ଜଳବାହିନୀର ସେନା ମଧ୍ୟ ଜଡ଼ିତ ଥିଲେ । ଏହି ଅପରେସନକୁ 'ଅପରେସନ୍ ସିନ୍ଦୁର' ନାମରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗମ ଠାରେ ନିର୍ଦୋଷ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ, ପାକିସ୍ଥାନୀ ଆତଙ୍କବାଦୀଙ୍କ ଦ୍ୱାରା ସଂଗଠିତ ଅମାନୁଷିକ ଆତଙ୍କବାଦୀ ଆକ୍ରମଣ ଫଳରେ ଜୀବନ ହରାଇବାକୁ ପଡ଼ିଥିଲା । ତେବେ 'ଅପରେଶନ ସିନ୍ଦୁର' ଦ୍ୱାରା ଭାରତ ଏହି ନୃଶଂସ ନରହତ୍ୟାର ପ୍ରତିଶୋଧ ନେଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଯୁଦ୍ଧାସ୍ତ୍ର ମଧ୍ୟ ଥିଲେ ବହୁତ ଖାସ୍ । ଚାଲନ୍ତୁ ଜାଣିବା ଏହି ଯୁଦ୍ଧାସ୍ତ୍ରଙ୍କ ବିଷୟରେ :
ଅଧିକ ପଢନ୍ତୁ : ଆତଙ୍କବାଦ ବିରୋଧରେ ଭାରତ ତାର ଅଧିକାର ବ୍ୟବହାର କରିଛି: ବିଦେଶ ସଚିବ
'ଅପରେଶନ ସିନ୍ଦୁର' ନିମନ୍ତେ ସ୍କାଲ୍ପ କୄଜ ମିଶାଇଲ୍ ଓ ହାମ୍ମର ପ୍ରିଶିସନ ଗାଇଡେଡ଼ ଯୁଦ୍ଧାସ୍ତ୍ରକୁ ଚୟନ କରିବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଭାରତୀୟ ଗାଇଡେଡ଼ ମିଶାଇଲ ଗୁଡିକ ହାଇପ୍ରିସଶନ ସହିତ ଶତ୍ରୁର ଟାର୍ଗେଟକୁ ଧ୍ବଂସ କରିବାରେ ସକ୍ଷମ ତେବେ ଏହି ପ୍ରକ୍ରିୟାରେ ସାଧାରଣ ଜନତାଙ୍କ ଧନଜୀବନ ହାନି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ପୂର୍ବଥର ବାଲାକୋଟ ଷ୍ଟ୍ରାଇକରେ ପୁରୁଣା ମୀରାଜ ୨୦୦୦ ର ବ୍ୟବହାର କରାଯାଇଥିଲା । ହେଲେ ବର୍ତମାନ ସମୟରେ ପାକିସ୍ଥାନରେ ରାଫେଲ ଗର୍ଜିଛି ।
ସ୍କାଲ୍ପ ବା ଷ୍ଟର୍ମ ସ୍ୟାଡୋ:
ସ୍କାଲ୍ପ ଏକ ବାୟୁରେ ନିକ୍ଷେପିତ କ୍ରୁଜ୍ କ୍ଷେପଣାସ୍ତ୍ର ଅଟେ । ଯାହା ଦୀର୍ଘତମ ସ୍ଥାନରେ ଯାଇ ଭୟଙ୍କର କ୍ଷୟକ୍ଷତି ଘଟିବାର ସାମର୍ଥ୍ୟ ରଖିଥାଏ । ଏହା ସମଗ୍ର ବିଶ୍ୱରେ ପ୍ରତିରକ୍ଷା ବାହିନୀର ପ୍ରିୟ କ୍ଷେପଣାସ୍ତ୍ର ଅଟେ । କାରଣ ଏହା ରାତ୍ରିର ଅନ୍ଧକାର ଓ ବିଭିନ୍ନ ପ୍ରକାର ପାଣିପାଗରେ ନିଜର କରାମତି କରି ଦେଖାଇପରେ । ଏହି ମିଶାଇଲକୁ ଷ୍ଟର୍ମ ସ୍ୟାଡୋ ମଧ୍ୟ କୁହାଯାଇଥାଏ ।
ଅଧିକ ପଢନ୍ତୁ : ଅପରେଶନ ସିନ୍ଦୂରର ଆତଙ୍କବାଦୀ ଶିବିର ଧ୍ୱଂସ: ତିନି ସଂଗଠନରୁ ନିପାତ ହେଲେ ଏହି ସଦସ୍ୟ…
ଏହା ୪୫୦ କିମି ଦୂରତା ବିଶିଷ୍ଟ ଲକ୍ଷ୍ୟକୁ ଭେଦ କରିପାରେ । ଏହାର ସବୁ ଉପାଦେୟତା ମଧ୍ୟରୁ ଲକ୍ଷ୍ୟ ବା ଟାର୍ଗେଟକୁ ଦୂରରୁ ଟ୍ରାକ୍ କରିବାର କୌଶଳ ହିଁ ଏହାକୁ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ । ଏହାର ଅତ୍ୟାଧୁନିକ ନ୍ୟାଭିଗେସନ ସିଷ୍ଟମ ଯୋଗୁଁ ଏହା ନିର୍ଭୁଲରେ ଲକ୍ଷ୍ୟଭେଦ କରିବାରେ ସଫଳ । ଏହାକୁ ଚିହ୍ନଟ କରିବା ମଧ୍ୟ କଷ୍ଟକର । ଯୁଦ୍ଧ ବିମାନରୁ ଏହାକୁ ନିକ୍ଷେପ କରିଲେ ଏହାର ତୀକ୍ଷ୍ଣ ନାଲିରଶ୍ମୀ ଜରିଆରେ ଏହା ଶତ୍ରୁକୁ ଚିହ୍ନଟ କରି ଶେଷ କରିଦିଏ ।
ଶକ୍ତ ବଙ୍କର ଓ ଅସ୍ତ୍ରଶସ୍ତ୍ର ସଂରକ୍ଷିତ ଗୃହରେ ପ୍ରବେଶ କରିବା ପାଇଁ ଏହା ଏକ ଉପାଦେୟ ଶସ୍ତ୍ର ଅଟେ । ଏହା ୟୁରୋପରେ ତିଆରି ହୋଇଥାଏ । ରୁଷିଆ ବିରୁଦ୍ଧରେ ୟୁକ୍ରେନ ଏହି ଅସ୍ତ୍ରର ପ୍ରଥମ ବ୍ୟବହାର ଗତଵର୍ଷ କରିଥିଲା ।
ହାମ୍ମର ଏଆର ଟୁ ଗ୍ରାଉଣ୍ଡ ବମ୍ବ:
ସ୍କାଲ୍ପ ସହିତ ଅନ୍ୟ ଏକ କ୍ଷେପଣାସ୍ତ୍ର ରୂପେ ହାମ୍ମରର ବ୍ୟବହାର କରାଯାଇଥିଲା । ଏହା ଏକ ଏଆର ଟୁ ଗ୍ରାଉଣ୍ଡ ବା ଆକାଶରୁ ନିକ୍ଷେପିତ ଗାଇଡେଡ଼ ମିସାଇଲ । ଏହା ଗ୍ଲେଡ଼ ବମ୍ବ ଭାବେ ମଧ୍ୟ ପରିଚିତ । ଏହା ୭୦ କିମି ପର୍ଯ୍ୟନ୍ତ ଗତି କରିବାରେ ସାମର୍ଥ୍ୟ ରଖେ । ୨୫୦ କିଗ୍ରା ଓଜନ ବିଶିଷ୍ଟ ବମ୍ବ ଠାରୁ ଆରମ୍ଭ କରି ୧୦୦୦ କିଗ୍ରା ବମ୍ବ ରେ ସହଜରେ ଯୋଡିହୋଇ ଶତ୍ରୁ ଅଞ୍ଚଳରେ ବିଭୀଷିକା ରଚିଥାଏ । ଏହି କ୍ଷେପଣାସ୍ତ୍ରଟି ଫ୍ରେଞ୍ଚ ଉଦ୍ୟୋଗ 'ସଫ୍ରାନ' ଦ୍ୱାରା ନିର୍ମିତ । ଏହାକୁ ଚିହ୍ନଟ କରି ଭେଦ କରିବା କଷ୍ଟକର, କାରଣ ନିମ୍ନ ଅଲ୍ଟିଚ୍ୟୁଡ୍ ରୁ ଏହାକୁ ନିକ୍ଷେପ କଲେ ଏହା ନିର୍ଭୁଲରେ ଲକ୍ଷ୍ୟ ଭେଦ କରିବାରେ ସଫଳ ରହେ ।
ଏହି ଦୁଇଟି ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ବଳରେ ଭାରତ, ଲସ୍କର-ଇ-ତୋଇବା ଓ ଜୈସ୍-ଏ- ମହମ୍ମଦ ଭଳି କୁଖ୍ୟାତ ଆତଙ୍କବାଦୀ ଗଡ଼ରେ ବଡଧରଣର କ୍ଷତି ପହଞ୍ଚାଇପାରିଛି ।