ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଭାରତୀୟ ସେନା 9ଟି ସ୍ଥାନରେ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିବାବେଳେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା ବଢ଼ିଛି । ଭାରତୀୟ ବାୟୁ ସେନାକୁ କେନ୍ଦ୍ର ସରକାର ଖୋଲା ହାତରେ ଛାଡ଼ିଛି । ଯଦି କିଛି ସନ୍ଦିଗ୍ଧ କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହୁଏ ତେବେ ପୁରା ତାକତର ସହିତ ଜବାବ ଦେବାକୁ କୁହାଯାଇଛି ।
ଗୁରୁବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଁଚି ସାକ୍ଷାତ କରିଛନ୍ତି । ଏହା ସହିତ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବାର ରହିଛି ।
ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପ୍ରବଳ ଗୁଳିବର୍ଷା କରିଥିଲା। ଏହି ଆକ୍ରମଣରେ ଚାରି ଜଣ ଶିଶୁ ଏବଂ ଜଣେ ସୈନିକଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ପ୍ରବଳ ଗୁଳିବିନିମୟ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ପୀଡିତମାନଙ୍କୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହୋଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପଞ୍ଜାବର ଫିରୋଜପୁର ଜିଲ୍ଲାର କିଛି ସୀମାନ୍ତ ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି।
ଗତକାଲି ଅପରେସନ୍ ସିନ୍ଦୂର ପରେ ୱିଙ୍ଗ କମାଣ୍ଡର୍ ବ୍ୟୋମିକା ସିଂହ ଓ କର୍ଣ୍ଣେଲ୍ ସୋଫିଆ କୁରେଶୀ ବିସ୍ତୃତ ସୂଚନା ଦେଇଥିଲେ । ପାକିସ୍ତାନ ଓ ପିଓକେରେ ମୋଟ ୨୧ଟି ଆତଙ୍କବାଦୀ ଆଡ୍ଡା ରହିଛି । ସେଥିମଧ୍ୟରୁ ଏହି ଆକ୍ରମଣରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଏବେବି ଆହୁରି ଆତଙ୍କୀସ୍ଥଳ ରହିଛି । ତେଣୁ ଭାରତୀୟ ସେନା ପୁଣି ଥରେ ହମଲା କରି ପାରେ ବୋଲି ଅନୁମାନ କରାଯାଉଛି ।