ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ପାକିସ୍ତାନ ସ୍ଥିତ ଆତଙ୍କୀ ମୁଖ୍ୟ ମସୁଦ ଅଜହରର ଆଡ୍ଡାସ୍ଥଳକୁ ଧ୍ୱଂସ କରିଛନ୍ତି । ଭାରତୀୟ ସେନା ପାକିସ୍ତାନ ଭିତରେ ୧୦୦ କିମି ଦୂର ବହାୱଲପୁରରେ ଜୈଶ ଏ ମହମ୍ମଦର ମୁଖ୍ୟାଳୟ ସହିତ ଅନ୍ୟ ଶିବିର ଉପରେ ହମଲା କରିଥିଲେ ।
ଆତଙ୍କବାଦ ବିରୋଧରେ ଭାରତର ସାମରିକା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଟପ୍ ଆତଙ୍କବାଦୀ ମସୁଦ ଅଜହରର ସଂସାର ଉଜୁଡି ଯାଇଛି । ଭାରତର ଏୟାରଷ୍ଟ୍ରାଇକରେ ଜୈଶ ଏ ମହମ୍ମଦର ମୁଖ୍ୟ ଅଜହର ପରିବାରର ୧୦ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଥିସହ ତାର ୪ ସହଯୋଗୀ ମଧ୍ୟ ନିପାତ ହୋଇଛି । ଆଉ ମସୁଦର ଘରେ ତାର ପରିବାର ସଦସ୍ୟଙ୍କ ମୃତଦେହର ଲମ୍ବା ଲାଇନ ରଖା ଯାଇଥିବା ଦେଖିବାକୁ ମିଳିଛି । ଏହାର ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି ।
ଆଜି ଅଜହର ପରିବାରର ସଦସ୍ୟ ଓ ତାର ସହଯୋଗୀଙ୍କୁ କବର ଦିଆଯିବ । ନିଜ ପରିବାର ସଦସ୍ୟଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି ମସୁଦ ଅଜହର । କାହିଁକି ତାର ମୃତ୍ୟୁ ହେଲାଣି ବୋଲି ସେ ଗତକାଲି ନିଜ ବୟାନରେ କହିଛି । ଅନ୍ୟପଟେ ଆତଙ୍କବାଦୀଙ୍କ ମୃତ୍ୟୁରେ ପାକିସ୍ତାନରେ ଶୋକର ଲହରି ଖେଳି ଯାଇଛି । ଖୋଦ୍ ପାକିସ୍ତାନ ସେନା ଆତଙ୍କୀଙ୍କ ମୃତ୍ୟୁରେ ପ୍ରଳାପ କରୁଛି । ଆତଙ୍କୀଙ୍କ ଶେଷ ଶୋଭାଯାତ୍ରାରେ ପାକିସ୍ତାନ ସେନା, ପୋଲିସ ଓ ଆଇଏସଆଇ ଅଧିକାରୀ ସାମିଲ ହେଉଥିବାର ଚିତ୍ର ପୁରା ଦୁନିଆ ଦେଖି ସାରିଛି ।
ବୁଧବାର ବହାୱଲପୁରରେ ରାତିସାରା ଲୋକେ ଶୋକ ପାଳନ କରୁଥିଲେ । ରାସ୍ତାରେ ଶୋଭାଯାତ୍ରା ବାହାର କରିଥିଲେ । ଆତଙ୍କୀଙ୍କ ଶେଷ ଦର୍ଶନ ପାଇଁ ଖୁବ୍ ଭିଡ ଦେଖିବାକୁ ମିଳିଥିଲା । ପାକିସ୍ତାନୀ ପତାକାରେ କଫିନକୁ ଘୋଡା ଯାଇଥିବା ବେଳେ ଲୋକେ ସେଥିରେ ମୁଣ୍ଡ ରଖି କାନ୍ଦୁଥିବାର ଚିତ୍ର ସାମ୍ନାକୁ ଆସିଛି ।