ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧଦିଲ୍ଲୀ ସଂସଦ ଭବନରେ ବସିଥିବା ଏହି ବୈଠକରେ ସମସ୍ତଙ୍କୁ ଅପରେସନ୍ ସିନ୍ଦୂର ବାବଦରେ ଅବଗତ କରାଯାଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ଼ ବୟାନ୍ ଦେଇ କହିଛନ୍ତି, ଅପରେସନ ସିନ୍ଦୁରର ମିଶନ ଏବେ ବି ସରିନାହିଁ, ପାକିସ୍ତାନ ଉପରେ ଭାରତର ଆକ୍ରମଣ ଏବେ ବି ଜାରି ରହିଛି । ୬ ତାରିଖ ମଧ୍ୟ ରାତ୍ରିରେ ହୋଇଥିବା ଏହି ଅପରେସନରେ ୨୫ ମିନିଟ୍ ଭିତରେ ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ । ଏହି ଆକ୍ରମଣରେ ଅତିକମ୍ରେ ୧୦୦ଶହ ଆତଙ୍କୀ ମରିଛନ୍ତି । ପାକିସ୍ତାନ ଓ ପିଓକେ ଉପରେ ସର୍ପ୍ରାଇଜ୍ ଭାବେ ଆକ୍ସନ ନେଇଥିଲା ଭାରତ, ଯାହା ଏବେ ବି ଜାରି ରହିଛି । ତେଣୁ ଏହି ଅପରେସନର ସବୁ ତଥ୍ୟ ଏବେ ସାର୍ବଜନୀନ କରାଯାଇ ପାରିବ ନାହିଁ ।
ତେବେ ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଆଜିର ବୈଠକ ଏକ ସତ୍କରାତ୍ମକ ବୈଠକ ରହିଥିଲା । ଏହା ଏକ ଗମ୍ଭୀର ପ୍ରସଙ୍ଗ ଥିଲା, ଯେଉଁଥିରେ ସମସ୍ତ ନେତା ସେମାନଙ୍କ ମତାମତ ରଖିଛନ୍ତି । ସର୍ବପ୍ରଥମେ ପ୍ରତିରକ୍ଷାମନ୍ତ୍ରୀ ସମସ୍ତ ନେତାଙ୍କୁ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ ଏବଂ ପରିସ୍ଥିତି ବିଷୟରେ ଜଣାଇଥିଲେ । ଏହା ପରେ ସମସ୍ତେ ନିଜ ନିଜର ମତାମତ ପ୍ରକାଶ କଲେ ଏବଂ ପରାମର୍ଶ ମଧ୍ୟ ଦେଇଛନ୍ତି । ତେବେ ସମସ୍ତ ନେତା ମଧ୍ୟ ସେନାର କାର୍ଯ୍ୟକଳାପକୁ ପ୍ରଂଶସା କରିଛନ୍ତି । ସବୁ ଦଳୀୟ ଓ ବିରୋଧୀ ଦଳ ନେତା ସମର୍ଥନ କରି କହିଛନ୍ତି, ଆମେ ସମସ୍ତେ ଏକତାର ସହ ସରକାରଙ୍କୁ ଏଥିରେ ସମର୍ଥନ କରିବୁ ଏବଂ ପ୍ରତି କାର୍ଯ୍ୟ ପାଇଁ ସେନାକୁ ସମର୍ଥନ କରିବୁ ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ‘ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛୁ। ଯେପରି ମଲ୍ଲିକାଜ୍ଜୁନ ଖଡଗେ କହୁଥିଲେ, ସରକାର କହିଛନ୍ତି, ଜିନିଷ ଅଛି ଯାହା ଉପରେ ଆମେ ଆଲୋଚନା କରିବାକୁ ଚାହୁଁନାହୁଁ...ଆମେ ସମସ୍ତେ ଏହାକୁ ସମର୍ଥନ କରୁଛୁ’ ।
ସେହିପରି ଏଆଇଏମଆଇଏମ ମୁଖ୍ୟ ୱେବେସୀ କହିଛନ୍ତ, ‘ମୁଁ ଆମର ସଶସ୍ତ୍ର ବାହିନୀ ଏବଂ ସରକାରଙ୍କୁ ଅପରେସନ ସିନ୍ଦୁର ପାଇଁ ପ୍ରଶଂସା କରିଛି, ମୁଁ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ଆମେ (TRF) ବିରୁଦ୍ଧରେ ଏକ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିବା ଉଚିତ, ଆମେ FATFରେ ପାକିସ୍ତାନକୁ ଗ୍ରେ-ଲିଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିବା ଉଚିତ।‘
ସେହିପରି କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଯୋଗଦେବା ଉଚିତ। ସାରା ବିଶ୍ୱ ଦେଖିବା ଉଚିତ ଯେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ସହ ଏକାଠି ବସି ଚର୍ଚ୍ଚା କରୁଛନ୍ତି । ଯେତେବେଳେ ପୂରା ଦେଶ ଏକ ସ୍ୱର ହେଉଛି, ସେତେବେଳେ ବିଶ୍ୱକୁ ବି ଶୁଣିବାକୁ ପଡ଼ିବ’
ଅଧିକ ପଢନ୍ତୁ: ପୂରା ଗୁପ୍ତରେ ଚାଲିଥିଲା ମିଶନ ପାଇଁ ପ୍ରସ୍ତୁତି; ଲୋଗୋ ତିଆରି ପାଇଁ ଲାଗିଥିଲା ୪୫ ମିନିଟ୍, ତିଆରି ହେଲା ୯ ଠିକଣାର ନକ୍ସା, ଜାଣନ୍ତୁ ଏହାର ଭିତର କାହାଣୀ