ପହଲଗାମ୍ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଅପରେସନ ସିନ୍ଦୁର ପାଇଁ ବଡ଼ ପ୍ରସ୍ତୁତି କରିଥିଲା ଭାରତ । ଏହି ପ୍ରସ୍ତୁତି ଏତେ ଗୁପ୍ତ ମାତ୍ରାରେ କରାଯାଇଥିଲା ଯେ, କେହି ଏନେଇ କୌଣସି ସୂଚନା ପାଇପାରିନଥିଲେ । ସେଥିପାଇଁ ଆକ୍ରମଣ ବେଳେ ଶତ୍ରୁଦେଶ ପାକିସ୍ତାନ ଭାରତୀୟ ବାୟୁସେନା ଆଗେ ଅସହାୟ ପରି ମନେ ହେଉଥାଏ ।
ଅପରେସନ ସିନ୍ଦୂର ଲଞ୍ଚ ହେବା ୨ ରାତି ପୂର୍ବରୁ ସାଉଥ ବ୍ଲକରେ ଗୁପ୍ତ ଭାବେ ଚାଲିଥିଲା ପୂରା ପ୍ରସ୍ତୁତି । ଏହି କାମ ବିଷୟରରେ କେବଳ କିଛି ଉଚ୍ଚସ୍ତରୀୟ ଅଧିକାରୀ ହିଁ ଜାଣିଥିଲେ । ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ଯେହେତୁ ସାଉଥରେ ରହିଛି, ସେଠାରେ ହିଁ ୩ ସେନା, ବାୟୁସେନା, ନୌସେନା, ସ୍ଥଳସେନାର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇ ନିରନ୍ତର ଭାବେ ଆକ୍ରମଣ ନେଇ ଯୋଜନା କରିବା ପରେ ଜୋରଦାର କାମରେ ଲାଗିଥିଲେ । କାମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ଏହାକୁ କାର୍ଯ୍ୟକାରୀ କରିବା ଯାଏ କାମ ଏତେ ଗୁପ୍ତ ମାତ୍ରାରେ ଚାଲିଥିଲା ଯେ, କାହାରିକୁ ଧାରଣା ଲାଗିବାକୁ ବି ଦିଆଯାଇନଥିଲା । ଏପରିକି ଏହାର ଗୁପ୍ତତା ବଜାୟ ରଖିବାକୁ ଅପରେସନ ସିନ୍ଦୁରର ୨ ଦିନ ପୂର୍ବରୁ ବରିଷ୍ଠ ସେନା ଅଧୀକାରୀଙ୍କ ସହ ଅନ୍ୟ ଲୋକଙ୍କ ଏପରିକି ପରିବାର ଲୋକଙ୍କ ଯୋଗାଯୋଗକୁ ବିଚ୍ଛିନ୍ନ କରାଯାଇଥିଲା ।
୨ ରାତି ନିରନ୍ତର ଭାବେ ଚାଲିଥିଲା କାମ
ଯେଉଁ ଅଧିକାରୀମାନେ ଅପରେସନ୍ ସିନ୍ଦୂରର ପ୍ରସ୍ତୁତିରେ ସିଧାସଳଖ ଜଡିତ ଥିଲେ, ସେମାନେ ୨ ଦିନ ଧରି ନିରନ୍ତର କାମ କରୁଥିବା ବେଳେ ଅନ୍ୟ ଅଧିକାରୀଙ୍କୁ ମେ ୬ ତାରିଖ ରାତି ୧୦ଟା ପରେ ସାଉଥ୍ ବ୍ଲକକୁ ଡକାଯାଇଥିଲା । ଆଉ ସେତେବେଳଠୁ ସମସ୍ତେ ଲାଗିଯାଇଥିଲେ ମିଶନକୁ ସଫଳ କରିବାକୁ । ଏଥିପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍, ଆଉ ଏବେ ପାକିସ୍ତାନ ଶୋଇଥିବା ବେଳେ ଘରେ ପଶି ଏୟାର ଷ୍ଟ୍ରାଇକ୍ କରି ନିଦ ଭାଙ୍ଗିଲା ଭାରତ । ଆଉ ମିଶନକୁ ସଫଳ କରିବା ପରେ ସାରା ବିଶ୍ୱକୁ ଏନେଇ ଅବଗତ କଲା ।
ଅପରେସନ୍ ପରେ ଆରମ୍ଭ ହେଲା ପ୍ରେସ ବିଜ୍ଞପ୍ତି:
ସେନା ଏବଂ ବାୟୁସେନା ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନ ଭିତରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ମାତ୍ରେ, ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ସାର୍ବଜନୀନ କରାଯାଇଥିଲା। ରାତି ଠିକ୍ ୧:୫୧ ରେ, ଭାରତୀୟ ସେନାର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଅପରେସନ ସିନ୍ଦୂରର ସଫଳତା ଘୋଷଣା କରାଯାଇଥିଲା।
ଅପରେସନ ସିନ୍ଦୁର ଲୋଗୋ(ଚିହ୍ନ) ତିଆରି କରିବାକୁ ଲାଗିଥିଲା ୪୫ ମିନିଟ୍:
ଅପରେସନ ସିନ୍ଦୂରର ପ୍ରତୀକ (ଲୋଗୋ) ମଧ୍ୟ ଭାରତୀୟ ସେନାର ହ୍ୟାଣ୍ଡେଲରୁ ଆସିଥିଲା। ଯେଉଁଥିରେ ସିନ୍ଦୁର ମାଧ୍ୟମରେ ଦର୍ଶାଯାଇଛି ଯେ ତାଙ୍କର ପ୍ରତିଶୋଧ ସମ୍ପୂର୍ଣ୍ଣ ହୋଇଛି। ରାତି ସମୟରେ ସାଉଥ୍ ବ୍ଲକରେ ରହିବା ସମୟରେ ସେନା ଅଧିକାରୀଙ୍କ ଦଳ ଏହି ପ୍ରତୀକ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ତିଆରି କରିବାକୁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥିଲା।
ଅଧିକ ପଢନ୍ତୁ: ଅପରେସନ ସିନ୍ଦୂର ପରେ ଆଗ୍ରାରେ ହାଇ ଆଲର୍ଟ, ତାଜମହଲର ସୁରକ୍ଷା ବୃଦ୍ଧି