ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧ କାର୍ୟ୍ୟାନୁଷ୍ଠାନରେ ଏକ ବଡ଼ ସଫଳତା ମିଳିଛି । ଅପରେସନ୍ ସିନ୍ଦୂରରେ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ତଥା ଚର୍ଚ୍ଚିତ କାନ୍ଦାହାର ବିମାନ ହାଇଜ୍ୟାକର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ଅବୁଦୁଲ ରୌଫ୍ ଅଜହର ନିପାତ ହୋଇଥିବା ଜଣାପଡ଼ିଛି । ଅବଦୁଲ ଜୈସ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ଭାଇ ଅଟେ ।
ମଙ୍ଗଳବାର ରାତିରେ ଭାରତର ଅପରେସନ ସିନ୍ଦୁରର ମସୁଦ ଅଜହରର ପରିବାର ମୋଟ ୧୦ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏଥିରେ ମସୁଦ ଅଜହର ଭାଇ ଅବଦୁଲ ଅଜହର ଥିବା ନେଇ ଖବର ପ୍ରକାଶ ପାଇଛି । ଆତଙ୍କୀ ଅବଦୁଲ ବିମାନ ହାଇଜ୍ୟାକ୍ ମାଷ୍ଟର ମାଇଣ୍ଡ ଅଟେ । ଭାରତ ପକ୍ଷରୁ ବାଲାକୋଟ, ମାନଶେରା, ମୁଜାଫରାବାଦ ଏବଂ ବାହାବଲପୁର ସମେତ ପ୍ରମୁଖ ଆତଙ୍କବାଦୀ ଗଡ଼ ଟାର୍ଗେଟ୍ କରାଯାଇଥିଲା । ବାହାବରପୁରରେ ଅବଦୁଲର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଭାରତରେ ଜେଲରେ ବନ୍ଦୀ ଥିବା ମସୁଦ ଅଜହରକୁ ମୁକୁଳାଇବାକୁ ସେ ଯାତ୍ରୀଙ୍କ ମୁଣ୍ଡ ଜାମିନ ରଖିଥିଲା । ଜୈଶ୍-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନ ଭାରତରେ ୨୦୦୧ ସଂସଦ ଆକ୍ରମଣ, ପଠାନକୋଟ୍ ଆକ୍ରମଣ, କଠୁଆ, ପୁଲୱାମା ଆଦି ଆକ୍ରମଣ କରିବାରେ ସଂଶ୍ଳିଷ୍ଟ ଅଛି ।
୧୯୯୯ ଡିସେମ୍ବର ୨୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ଇଣ୍ଡିଆନ୍ ଏୟାରଲାଇନ୍ସର ଓଉ-୮୧୪ ବିମାନକୁ ଅପହରଣ କରିନେଇଥିଲେ । ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଇଂଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରି ଦିଲ୍ଲୀ ଆସୁଥିବା ଏହି ବିମାନକୁ ଅପହରଣ କରି କାନ୍ଦାହାରକୁ ନିଆଯାଇଥିଲା । ଜୈଶ-ଏ ମହମ୍ମଦର ମୁଖ୍ୟ ମାସୁଦ ଅଜହର, ଅଲ ଉମର ମୁଜାହିଦ୍ଦିନର ନେତା ମୁସ୍ତାକ ଅହମଦ ଜରଗର ଓ ଅଲକାଏଦା ନେତା ଅହମଦ୍ ଉମର ସଇଦ୍ ସେ ସମୟରେ ଭାରତର ଜେଲରେ ବନ୍ଦୀ ଥିଲେ । ସେମାନଙ୍କୁ ମୁକ୍ତ କରିବାକୁ ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରିନେଇ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଥିଲେ । ସେତେବେଳେ ଅବଦୁଲ ଅଜହର ମାତ୍ର ୨୪ ବର୍ଷ ବୟସର ଥିଲା ।
ଗତକାଲି ଅପରେସନ୍ ସିନ୍ଦୂର ପରେ ୱିଙ୍ଗ କମାଣ୍ଡର୍ ବ୍ୟୋମିକା ସିଂହ ଓ କର୍ଣ୍ଣେଲ୍ ସୋଫିଆ କୁରେଶୀ ବିସ୍ତୃତ ସୂଚନା ଦେଇଥିଲେ । ପାକିସ୍ତାନ ଓ ପିଓକେରେ ମୋଟ ୨୧ଟି ଆତଙ୍କବାଦୀ ଆଡ୍ଡା ରହିଛି । ସେଥିମଧ୍ୟରୁ ଏହି ଆକ୍ରମଣରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଏହି ସବୁ ଆତଙ୍କୀ ଆଡ୍ଡାରେ ଭାରତରେ ହୋଇଥିବା ବଡ଼ ବଡ଼ ଆକ୍ରମଣର ଷଡ଼ଯନ୍ତ୍ର ରଚାଯାଇଥିଲା ଏବଂ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଥିଲା ।