ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତର ଦୁଇ ନାରୀ ଶକ୍ତି ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ୍ ସୋଫିଆ କୁରେଶୀ ଗୁରୁବାର ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି । ପାକିସ୍ତାନ ଭାରତର ବିଭିନ୍ନ ବାୟୁସେନା ଠିକଣା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଯାହାର ପ୍ରତିକ୍ରିୟାରେ ଭାରତ ସମାନ ତୀବ୍ରତାର ସହିତ ପାକିସ୍ତାନର ଲହୋରରେ ଥିବା ବାୟୁ ପ୍ରତିରକ୍ଷା ରାର୍ଡାର୍ ସିଷ୍ଟମକୁ ଧ୍ୱଂସ କରିଥିବା ଦୁଇ ସେନା ଅଧିକାରୀ ସୂଚନା ଦେଇଛନ୍ତି ।
ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ୍ ସୋଫିଆ କୁରେଶୀଙ୍କ ସୂଚନା ମୁତାବକ, ମେ ୭ରେ ସାମ୍ବାଦିକ ସମ୍ମିଳନୀରେ 'ଅପରେସନ ସିନ୍ଦୂର'କୁ ଭାରତ ନିଜର ପ୍ରତିକ୍ରିୟା କେନ୍ଦ୍ରିତ, ସନ୍ତୁଳିତ ଏବଂ ଅଣ ଉତ୍ତେଜକ ବୋଲି ସ୍ପଷ୍ଟ କରିଥିଲା । ଅପରେସନ୍ ସିନ୍ଦୂର ଜରିଆରେ ଯେଉଁ ଆକ୍ରମଣ କରାଯାଇଥିଲା ସେଥିରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ପାକିସ୍ତାନର କୌଣସି ସାମରିକ ଠିକଣା ଉପରେ ଆକ୍ରମଣ ହୋଇ ନାହିଁ । କିନ୍ତୁ ମେ ୭ ତାରିଖ ରାତିରେ ଉତ୍ତର ଓ ପଶ୍ଚିମ ଭାରତର ଅନେକ ବାୟୁସେନା ଠିକଣାରେ ପାକିସ୍ତାନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମ୍ରିତସର, କପୁରଥାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ୍, ଫାଲୋଦି, ଉତ୍ତରଲାଇ ଓ ଭୁଜକୁ ଡ୍ରୋନ୍ ଓ ମିଜାଇଲରେ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ଭାରତ ଇଣ୍ଟିଗ୍ରେଟେଡ୍ କାଉଣ୍ଟର USD ଓ ବାୟୁ ରକ୍ଷା ପ୍ରଣାଳୀ ଦ୍ୱାରା ନିଷ୍କ୍ରିୟ କରିବାରେ ସଫଳ ହୋଇଛି । ଏହି ଆକ୍ରମଣର ଭଗ୍ନାବଶେଷ ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ଆଉ ଏହି ଆକ୍ରମଣ ପାକିସ୍ତାନର ରାର୍ଡାର ସିଷ୍ଟମରୁ କରାଯାଇଥିଲା ।
ଏହାର ଜବାବରେ ଆଜି (ମେ ୮) ସକାଳେ ଭାରତ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ବା ରାର୍ଡାର୍ ସିଷ୍ଟମକୁ ଟାର୍ଗେଟ୍ କରାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲାହୋରରେ ଥିବା ରାର୍ଡାର୍ ସିଷ୍ଟମ୍ କ୍ଷତିଗ୍ରସ୍ତ ହୋଇଛି ।