‘ଆଲ୍ଲା ପାକିସ୍ତାନୀଙ୍କୁ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା କରନ୍ତୁ’ ଏହା କହି ପାକ୍ ସଂସଦରେ କାନ୍ଦିଲେ ପାକିସ୍ତାନୀ ସାଂସଦ ତଥା ପୂର୍ବତନ ମେଜର ତାହିର ଇକବାଲ। ସାଂସଦ ତାହିର ଇକବାଲ ସଂସଦରେ କାନ୍ଦି ଏହି କଥା କହିଥିବା ଭିଡିଓ ଏବେ ଭାଇରାଲ ହୋଇଛି। ପାକିସ୍ତାନ ସଂସଦରେ ବାଷ୍ପରୁଦ୍ଧ କଣ୍ଠସ୍ୱରରେ କାନ୍ଦି ପକାଇ ସେ କହିଥିଲେ ଯେ ମୁଁ ପ୍ରାର୍ଥନା କରୁଛି ଯେ ଆଲ୍ଲା ପାକିସ୍ତାନୀଙ୍କୁ ରକ୍ଷା କରନ୍ତୁ। ତାଙ୍କର ଭାବପ୍ରବଣ ଆବେଦନ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
ପାକିସ୍ତାନୀ ସାଂସଦ ତାହିର ଇକବାଲ ସଂସଦରେ କହିଥିଲେ, “ମୁଁ ସମସ୍ତ ସାଂସଦଙ୍କୁ ନିବେଦନ କରୁଛି ଯେ, ଆମେ ସମସ୍ତେ ଏକାଠି ଆଲ୍ଲାହଙ୍କୁ ପ୍ରାଥନା କରିବା । ହେ ଆଲ୍ଲାହ, ଆମେ ଆପଣଙ୍କ ଆଗରେ ମୁଣ୍ଡ ନୁଆଁଇଛୁ, ଦୟାକରି ଏହି ଦେଶକୁ ରକ୍ଷା କରନ୍ତୁ।”
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ପାକିସ୍ତାନରେ ପ୍ରବେଶ କରି ଅପରେସନ ସିନ୍ଦୂର ଜରିଆରେ ଏହାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରୁଛି । ପ୍ରଥମେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ତା’ପରେ କରାଚୀ ଏବଂ ଲାହୋର ଭଳି ୧୨ଟି ପ୍ରମୁଖ ସହରରେ ସିରିଜ୍ ବୋମା ବିସ୍ଫୋରଣ କରିଛି । ଯାହାପରେ ଛାନିଆ ହୋଇଛି ପାକିସ୍ତାନ। ଏଭଳି ସ୍ଥିତିରେ କଣ କରିବ କିଛି ବୁଦ୍ଧିବାଟ ଦିଶୁନଥିବା ବେଳେ ବାଉଳା ହୋଇ ସୀମାରେ ସାଧାରଣ ଲୋକଙ୍କ ଉପରେ ଫାୟରିଂ କରୁଛି । ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ କହୁଛନ୍ତି ପାକିସ୍ତାନ ବି ବଦଲା ନେବେ। ସେପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହୁଛନ୍ତି ପାକିସ୍ତାନ ସେନା ଭାରତୀୟ ରାଫେଲକୁ ଆଟାକ କରିଛି । ଏବେ ପ୍ରଥମ ଏୟାର ଷ୍ଟ୍ରାଇକ ପରେ ଭାରତ କାଳେ ଦ୍ବିତୀୟ ଏୟାର ଷ୍ଟ୍ରାଇକ କରିବ ସେନେଇ ପାକିସ୍ତାନକୁ ଆଉ ରାତିରେ ନିଦ ହେଉନି ।
ପାକିସ୍ତାନ ଉପରେ ଏବେ ସଙ୍କଟ ଘାରି ଥିବା ବେଳେ ପାକିସ୍ତାନର ଏବେ ସାଥ ଦେଉନି ତାର ପରମ ବନ୍ଧୁ ଚୀନ୍ । ପାକିସ୍ତାନକୁ ବର୍ତ୍ତମାନ ସହାୟତା ବଦଳରେ ଚୀନ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି । ଅପରେସନ ସିନ୍ଦୂର ପରେ ଚୀନ କହିଛି କି, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ ।