ନୂଆଦିଲ୍ଲୀ: ଭାରତର କାର୍ଯ୍ୟାନୁଷ୍ଠାନ ପରେ ଏବେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଛି ପାକିସ୍ତାନ । ଜମ୍ମୁ କାଶ୍ମୀରରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି । ଫଳରେ ଜମ୍ମୁରେ ଏୟାର ସାଇରନ୍ ଦ୍ୱାରା ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି ।
ପ୍ରାଥମିକ ସୂଚନା ଆଧାରରେ ପାକିସ୍ତାନ ବର୍ତ୍ତମାନ ଭାରତ ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଛି । ଜମ୍ମୁ କାଶ୍ମୀର ବିଭିନ୍ନ ସ୍ଥାନରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି । ଜମ୍ମୁ ବିମାନବନ୍ଦର ନିକଟରେ ପାକିସ୍ତାନ ପ୍ରାୟ 8ଟି ମିସାଇଲ୍ ଛାଡ଼ିଥିବା କୁହାଯାଉଛି । କିନ୍ତୁ ଭାରତ ପାକିସ୍ତାନର ସମସ୍ତ ଯୋଜନାକୁ ଭଣ୍ଡୁର କରିଦିଆଯାଇଛି । ଭାରତୀୟ ବାୟୁ ପ୍ରତିରକ୍ଷା ତରଫରୁ ସମସ୍ତ ମିସାଇଲକୁ ଅକାମୀ କରିବାରେ ଭାରତ ସଫଳ ହୋଇଛି । S-400 ‘ସୁଦର୍ଶନ ଚକ୍ର’ ଦ୍ୱାରା ଅକାମୀ କରାଯାଇଛି ।
ଅପର ପକ୍ଷରେ ପ୍ରଶାସନ ପକ୍ଷରୁ ତୁରନ୍ତ ଏୟାର ସାଇରନ୍ ବଜା ଯାଇଥିଲା । ପରେ ବ୍ଲାକ୍ ଆଉଟ୍ କରାଯାଇଛି । ଲୋକମାନେ ବଙ୍କର ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନରେ ରହିଛନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ସେପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତି ହୋଇ ନ ଥିଲା ।
ସେହିପରି ରାଜସ୍ଥାନର ଏକାଧିକ ସ୍ଥାନରେ ମଧ୍ୟ ପାକିସ୍ତାନ ଆକ୍ରମଣ କରିବାକୁ ଉଦ୍ୟମ କରିଛି । ଜୈସଲମେର ଓ ବିକାନେରରେ ଆକ୍ରମଣ ହେଉଛି । ପ୍ରାୟ 30ଟି ମିସାଇଲକୁ ଖସାଇ ଦେଇଛି ଭାରତ । ଭାରତର ବାୟୁ ପ୍ରତିରକ୍ଷା ତରଫରୁ ସମସ୍ତ ମିସାଇଲକୁ ନଷ୍ଟ କରାଯାଉଛି । ସମସ୍ତ ଅଞ୍ଚଳରେ ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି ।
ସେପଟେ ପଞ୍ଜାବର ପଠାନକୋଟରେ ମଧ୍ୟ ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମ୍ରିତସର, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚନ୍ଦିଗଡ଼, ନାଲ୍, ଫାଲୋଦି, ଉତ୍ତରଲାଇ ଓ ଭୁଜରେ ବାୟୁସେନା ଠିକଣାକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ପାକିସ୍ତାନ । ତେବେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା ।