ନୂଆଦିଲ୍ଲୀ: ପାକିସ୍ତାନର ହମଲା ପରେ ଆଇପିଏଲ୍ ୨୦୨୫ର ଭବିଷ୍ୟତ ଉପରେ ସଙ୍କଟ ସୃଷ୍ଟି ହୋଇଛି । ଧର୍ମଶାଲାରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ ରଦ୍ଦ କରାଯାଇଛି । ଏହି ମ୍ୟାଚ୍ ରଦ୍ଦ ପରେ ଏହା ସ୍ପଷ୍ଟ ହୋଇ ପାରିନି ଯେ, ଲିଗ୍ ଆଗକୁ ଜାରି ରହିବ କି ନାହିଁ । ଆଇପିଏଲ୍ ଖେଳୁଥିବା ବିଦେଶୀ ଖେଳାଳିଙ୍କ ସୁରକ୍ଷା ପାଇଁ ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ଜାରି ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ଖେଳାଳି ଯଥା ଶୀଘ୍ର ଘରକୁ ଫେରିବାକୁ ଚାହୁଁଥିବା କୁହାଯାଉଛି ।
ଆସନ୍ତାକାଲିର ଲଖନଉ ସୁପର ଜାଏଣ୍ଟଓ ଓ ଆରସିବି ମ୍ୟାଚକୁ ନେଇ ଆଇପିଏଲ୍ ଚେୟାରମ୍ୟାନ ଅରୁଣ ଧୂମଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଏହା କହି ପାରିବୁ ଯେ, ମ୍ୟାଚ୍ ଖେଳାଯିବ । ମାତ୍ର ଅନ୍ତିମ ନିଷ୍ପତ୍ତି ପରିସ୍ଥିତି ହିସାବରେ ନିଆଯିବ । ଅରୁଣ ଧୁମଲ କହିଛନ୍ତି, ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ନିର୍ଦ୍ଦେଶ ମିଳିନାହିଁ ।
ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, ଟୁର୍ଣ୍ଣାମେଣ୍ଟ ଆଗକୁ ଜାରି ରହିବ କି ନାହିଁ ଏହାକୁ ନେଇ ଶୁକ୍ରବାର ଏକ ବୈଠକ ବସିବ । ଏହି ବୈଠକରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯିବ । ଏହା ପରେ ଯାହା ଉଚିତ୍ ଲାଗିବ ସେହି ହିସାବରେ ନିଷ୍ପତ୍ତି ନିଆଯିବ । ସୂଚନାଯୋଗ୍ୟ, ପଡୋଶୀ ସହର ଜମ୍ମୁ ଓ ପଠାନକୋଟରେ ଆକ୍ରମଣ ଚେତାବନୀ ପରେ ଗୁରୁବାର ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ରଦ୍ଦ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ କାରଣରୁ ଏବେ ପୂରା ଲିଗ୍ ରଦ୍ଦ ହେବାର ସ୍ଥିତି ସୃଷ୍ଟି ହୋଇଛି ।
ସୂଚନାଯୋଗ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉତ୍ପନ ହୋଇଛି। ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ, ପଠାନକୋଟ ସମେତ ଅନେକ ସହର ଉପରେ ପାକିସ୍ତାନ ମିସାଇଲ ହମଲା କରିଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ମିସାଇଲକୁ ଆକାଶରେ ମାରି ଖସାଇଛି। ଏହି ସମୟରେ ଭାରତର ଡିଫେନ୍ସ ସିଷ୍ଟମ ପାକିସ୍ତାନର ତିନୋଟି ଲଢୁଆ ବିମାନକୁ ଧ୍ଵଂସ କରିଛି।