ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସଂଘର୍ଷର ପ୍ରଭାବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ ଘୋଷଣା କରାଯାଇଛି । ରାଜଧାନୀରେ ସୁରକ୍ଷା କଡାକଡି କରାଯାଇଛି । ପ୍ରତିଟି ସ୍ଥାନରେ ପୋଲିସ ସହିତ ସୁରକ୍ଷାବଳକୁ ମୁତୟନ କରାଯାଇଛି । ଇଣ୍ଡିଆ ଗେଟ୍ ଅଞ୍ଚଳରେ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି । ଇଣ୍ଡିଆ ଗେଟ୍ ନିକଟରୁ ସାଧାରଣ ଲୋକଙ୍କୁ ହଟାଇ ଦିଆଯାଇ ପୂରା ଅଞ୍ଚଳକୁ ଖାଲି କରାଯାଇଛି । ଇଣ୍ଡିଆ ଗେଟ୍ ନିକଟରେ କାହାରିକୁ ବି ଅଟକିବାକୁ ଅନୁମତି ଦିଆଯାଉ ନାହିଁ ।
ଏପରିକି ଇଣ୍ଡିଆ ଗେଟର ଲାଇଟ୍ ଅଫ୍ କରି ଦିଆଯାଇଛି । କର୍ତ୍ତବ୍ୟ ପଥରୁ ଲୋକଙ୍କୁ ହଟାଇ ଦିଆଯାଇଛି । ଏଥିସହ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି । ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ପ୍ରତିଟି ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି । ଦିଲ୍ଲୀ ସରକାର ନିଜର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ରଦ୍ଦ କରି ଦେଇଛନ୍ତି ।
ଦିଲ୍ଲୀ ସରକାରର ସେବା ବିଭାଗ ନିଜ କର୍ମଚାରୀଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛୁଟିରେ ନ ଯିବାକୁ କହିଛି । ସ୍ୱାସ୍ଥ୍ୟ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତୁତିର ଯାଞ୍ଚ ପାଇଁ ସମୀକ୍ଷା ବୈଠକ ବସିଛି । ପ୍ରମୁଖ ପ୍ରତିଷ୍ଠାନରେ ଅର୍ଦ୍ଧସାମରିକ ବଳ ସମେତ ଅତିରିକ୍ତ ବଳ ମୁତୟନ କରାଯାଇଛି ।
ସୂତ୍ର ଅନୁଯାୟୀ, ଦିଲ୍ଲୀ ପୋଲିସ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ସମସ୍ତ ଡିସିପି ନିଜ ନିଜ ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ନିରୀକ୍ଷଣ କରୁଛନ୍ତି । ମଲ୍, ମାର୍କେଟ୍, ମେଟ୍ରୋ ଷ୍ଟେସନ, ହୋଟେଲ୍, ଆବାସୀୟ କୋଲନୀ, ବିମାନ ବନ୍ଦର ଓ ଅନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସତର୍କତା ବଢାଇ ଦିଆଯାଇଛି ।