ବାଲେଶ୍ବର: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଉଥିବା ଘମାଘୋଟ ଲଢେଇ ଭିତରେ ସାରା ବିଶ୍ଵରେ ହଇଚଇ ସୃଷ୍ଟି ହୋଇଛି । ସେଥିପାଇଁ ଭାରତର ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି ।
ଏନେଇ ଓଡ଼ିଶାର ବାଲେଶ୍ବରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଆଜି ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜିଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ହେବ । ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍ରେ ଉକ୍ତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ଯୋଗ ଦେବେ ବୋଲି ସୂଚନା ମିଳିଛି । ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବ।
ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାନ୍ଦିପୁରରେ ଅବସ୍ଥିତ ସମନ୍ୱିତ ପରୀକ୍ଷଣ ପରିସର, ପ୍ରମାଣ ଓ ପରୀକ୍ଷଣ ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥା କିପରି କଡ଼ାକଡ଼ି କରାଯିବ, ଯେତେ ସଙ୍କଟପୂର୍ଣ୍ଣ ପରିସ୍ଥିତି ଆସିଲେ ବି କିପରି କ୍ଷେପଣାସ୍ତ୍ର ଘାଟିର କିଛି ବି କ୍ଷୟକ୍ଷତି ନ ହେବ । ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ସତର୍କ କରାଯିବା ସହିତ ଶତ୍ରୁ ପକ୍ଷଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି ।
ପାକିସ୍ତାନର ଆତଙ୍କୀ ଆକ୍ରମଣ ପରଠୁ ଭାରତ ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ତାର ଆତଙ୍କୀ ଆଡ୍ଡା ଉପରେ ପ୍ରହାର ଆରମ୍ଭ କରିଛି । ଭାରତର ଡିଫେନ୍ସ ସିଷ୍ଟମ ପାକିସ୍ତାନର ତିନୋଟି ଲଢୁଆ ବିମାନକୁ ଧ୍ଵଂସ କରିଛି।