ପୁରୀ: ସୁରକ୍ଷା ବଳୟ ମଧ୍ୟରେ ପୁରୀ ସହର । ଭାରତ ଓ ପାକିସ୍ତାନର ଯୁଦ୍ଧ ମଧ୍ୟରେ ପୁରୀର ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ପୁରୀ ଶ୍ରୀମନ୍ଦିରର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ ମୁତୟନ ହୋଇଛନ୍ତି । ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ ଚାଲିବା ସହିତ ବିଭିନ୍ନ ହୋଟେଲ ପୋଲିସ ଯାଞ୍ଚ କରୁଛି। ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରୁଛି ପୋଲିସ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୧୫୦ରୁ ଅଧିକ ପୋଲିସ କର୍ମଚାରୀ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତମାନେ ଆସିଥାନ୍ତି । ରାଜ୍ୟ ତଥା ଦେଶ ବାହାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଏହି ଯୁଦ୍ଧ ସମୟ ମଧ୍ୟରେ ଯେପରି ଶ୍ରୀମନ୍ଦିର ସମେତ ଆସୁଥିବା ଭକ୍ତଙ୍କର କୌଣସି କ୍ଷତି ନ ହୁଏ ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ପୋଲିସମାନଙ୍କୁ ସଦା ହାଇଆଲର୍ଟରେ ରହିବା ପାଇଁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରର ଚତୁଃପାର୍ଶ୍ଵରେ ପୋଲିସ କର୍ମଚାରୀ ହାତରେ ବନ୍ଧୁକ ଧରି ତୀକ୍ଷ୍ଣ ନଜର ରଖିବା ସହିତ କଡ଼ାକଡ଼ି ଯାଞ୍ଚ କରୁଛନ୍ତି । ପୂର୍ବରୁ ମଧ୍ୟ ପୁରୀରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି ।