ନୂଆଦିଲ୍ଲୀ: ଇରାନ ସହ ଯୁଦ୍ଧ ସମମୟରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡ ବଡ଼ ବୟାନ ଦେଇଛନ୍ତି। ସେ ପାକିସ୍ତାନ ଏବଂ ଚୀନକୁ ଆମେରିକା ପାଇଁ ବିପଦ ଭାବରେ ଚିହ୍ନଟ କରିଛନ୍ତି। ସେ ବୁଧବାର କହିଛନ୍ତି ଯେ ପାକିସ୍ତାନ, ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ଆମେରିକା ପାଇଁ ସବୁଠାରୁ ବଡ଼ ପରମାଣୁ ବିପଦ ସୃଷ୍ଟି କରିଛନ୍ତି। ଚୀନ୍, ଇରାନ, ରୁଷ ଏବଂ ଉତ୍ତର କୋରିଆକୁ ଏପରି କ୍ଷମତା ବିକାଶ କରୁଥିବା ଦେଶ ଭାବରେ ନାମିତ କରିଛନ୍ତି ଯାହା ଆମେରିକା ପାଇଁ ବିପଦ ସୃଷ୍ଟି କରିପାରେ।
ତୁଲସୀ ଗବାର୍ଡ କହିଛନ୍ତି, ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ ରୁଷ, ଚୀନ୍, ଉତ୍ତର କୋରିଆ, ଇରାନ ଏବଂ ପାକିସ୍ତାନ ପରମାଣୁ ଏବଂ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ବିକାଶ କରୁଛନ୍ତି। ଏହା ଆମେରିକାକୁ ଏହି ଦେଶଗୁଡ଼ିକର ଆକ୍ରମଣ କ୍ଷମତା ପରିସର ମଧ୍ୟରେ ରଖିପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ଉତ୍ତର କୋରିଆ ଏବେ ରୁଷ ଏବଂ ଚୀନ୍ ସହିତ ଏହାର ସହଭାଗୀତାକୁ ମଜବୁତ କରୁଛି।
ଏକ ସିନେଟ୍ ପ୍ୟାନେଲ ସମ୍ମୁଖରେ ନିଜ ଭାଷଣରେ, ତୁଲସୀ ଗବାର୍ଡ କହିଛନ୍ତି ଇରାନ ଶାସନ ଅକ୍ଷୁର୍ଣ୍ଣ ରହିଛି, କିନ୍ତୁ ସାମ୍ପ୍ରତିକ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହା ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଯଦିଓ ଇରାନର ବର୍ତ୍ତମାନର ଶାସନ ବଞ୍ଚି ରହେ, ତଥାପି ଏହାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ କ୍ଷମତା ପୁନଃନିର୍ମାଣ କରିବାକୁ ବର୍ଷ ବର୍ଷ ସମୟ ଲାଗିବ।
ତୁଲସୀ ଗବାର୍ଡ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ର (NCTC)ର ମୁଖ୍ୟ ଜୋ କେଣ୍ଟ ପ୍ରତିବାଦରେ ଇସ୍ତଫା ଦେବା ପରେ ଗବାର୍ଡଙ୍କ ଏହି ବୟାନ ସାମ୍ନାକୁ ଆସିଛି। ଯୁଦ୍ଧକୁ ନେଇ ପ୍ରଶାସନରୁ ଏହା ପ୍ରଥମ ଉଚ୍ଚସ୍ତରୀୟ ଇସ୍ତଫା ଥିଲା। ନିଜ ବିବୃତ୍ତିରେ ତୁଲସୀ ଗବାର୍ଡ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକୀୟ ଲୋକଙ୍କ ଦ୍ୱାରା ବିପୁଳ ଭୋଟରେ ରାଷ୍ଟ୍ରପତି ଏବଂ କମାଣ୍ଡର-ଇନ୍-ଚିଫ୍ ଭାବରେ ନିର୍ବାଚିତ କରାଯାଇଛି।
Also read: “ପ୍ରେମ ଆମ ସହ କଲେ ବିବାହ ମୋଦୀଙ୍କ ସାଥିରେ...”; ରାଜ୍ୟସଭାରେ ଖଡ଼ଗେଙ୍କ ଏହି ଡାଏଲଗ୍ ଶୁଣି ହସିଲେ ସବୁ ସଦସ୍ୟ