ନୂଆଦିଲ୍ଲୀ: ଯୁଦ୍ଧ ମଧ୍ୟରେ ଇରାନ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁରେ କ୍ଷୁବ୍ଧ ଇରାନ।ଏହାକୁ ନେଇ ସର୍ବୋଚ୍ଚ ନେତା ମୋଜତାବା ଖାମେନି ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ ଦେଇଛନ୍ତି। ସେ ଲାରିଜାନିଙ୍କ ମୃତ୍ୟୁ ପାଇଁ ସମବେଦନା ଜଣାଇବା ସହ ତାଙ୍କ ହତ୍ୟାକାରୀମାନଙ୍କୁ ଖୁବ୍ ଶୀଘ୍ର ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ସଚିବ ଅଲି ଲାରିଜାନି ଏକ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ମୋଜତାବା ଖାମେନି କହିଛନ୍ତି, ଅଲି ଲାରିଜାନି, ତାଙ୍କ ପୁଅ ଏବଂ ଅନେକ ସହକର୍ମୀଙ୍କ ସହିଦ ହେବାର ଦୁଃଖଦ ଖବର ଶୁଣି ମୁଁ ଗଭୀର ଦୁଃଖିତ। ସେ ଜଣେ ଅତ୍ୟନ୍ତ ଅଭିଜ୍ଞ ବ୍ୟକ୍ତି ଥିଲେ ଯିଏ ଦଶନ୍ଧି ଧରି ରାଜନୈତିକ ଏବଂ ସୁରକ୍ଷା ସମ୍ବନ୍ଧୀୟ କ୍ଷେତ୍ରରେ ଇରାନର ସେବା କରିଥିଲେ। ଏପରି ଆତଙ୍କବାଦୀ କାର୍ଯ୍ୟ କେବଳ ଶତ୍ରୁମାନଙ୍କ ଶତ୍ରୁତାକୁ ପ୍ରତିଫଳିତ କରେ। ତାଙ୍କର ବଳିଦାନ ଇସଲାମିକ ରାଷ୍ଟ୍ର ଇରାନର ସଂକଳ୍ପକୁ ଆହୁରି ମଜବୁତ କରିବ। ନିଃସନ୍ଦେହରେ ନ୍ୟାୟ ପ୍ରଦାନ କରାଯିବ ବୋଲି ଖାମେନି କହିଛନ୍ତି।
ଗତ ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଇସ୍ରାଏଲ ଏବଂ ଆମେରିକା ଲଗାତାର ଇରାନର ଶୀର୍ଷ ନେତୃତ୍ଵକୁ ଟାର୍ଗେଟ କରି ଚାଲିଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ମାର୍ଚ୍ଚ ୧୮ରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଗୁପ୍ତଚର ମନ୍ତ୍ରୀ ଇସମାଇଲ ଖାତିବଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ, ଇସ୍ରାଏଲ କହିଥିଲା ଯେ ଖାତିବଙ୍କୁ ଗତକାଲି ରାତିରେ ବିମାନ ଆକ୍ରମଣରେ ହତ୍ୟା କରାଯାଇଛି। ଏକ୍ସରେ ଏକ ପୋଷ୍ଟରେ ସେ ଇସମାଇଲ ଖାତିବ, ଅଲି ଲାରିଜାନି ଏବଂ ନାସିରଜାଦେହଙ୍କ ହତ୍ୟାକୁ କାପୁରୁଷତାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ।
ଇରାନ ରାଜନୀତିର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଲାରିଜାନିଙ୍କ ହତ୍ୟା ତେହେରାନ ସମସ୍ୟାକୁ ବଢାଇ ଦେଇଛି। କାରଣ ସରକାରଙ୍କ ପକ୍ଷରୁ ଏବ େ ନିଷ୍ପତ୍ତି ନେବା ଜଟିଳ ହୋଇଛି। ପୁଣି ଯୁଦ୍ଧ ଜାରି ରହିଥିବାରୁ ନିଷ୍ପତ୍ତି ନେବାର ବିକଳ୍ପ ଗୁଡ଼ିକ ସୀମିତ ହୋଇ ଯାଇଛି। ଉଲ୍ଲେଖନୀୟ ଲାରିଜାନି ୨୦୦୫ ମସିହାରେ ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପଦବୀ ଗ୍ରହଣ କରିଥିଲେ। ସେ ଦେଶର ମୁଖ୍ୟ ପରମାଣୁ ଆଲୋଚନାକାରୀ ସଦସ୍ୟ ହୋଇଥିଲେ।
Also read: ଆମେରିକା ପାଇଁ ପାଇଁ ସବୁଠୁ ବଡ଼ ପରମାଣୁ ବିପଦ ପାକିସ୍ତାନ, ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କ ବଡ଼ ବୟାନ