ଦିଲ୍ଲୀ: ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ପାକିସ୍ଥାନର ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । କାଶ୍ମୀରର ଉରୀ ଅଞ୍ଚଳରେ ପାକିସ୍ଥାନ ପାଖରୁ କରାଯାଇଥିବା ସୀମାପାର ଗୁଳିମାଡ଼ରେ ମହିଳା ଜଣକ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଜୀବନ ମରଣ ସହିତ ଯୁଦ୍ଧ କରୁଛନ୍ତି ।
ସୂତ୍ରରୁ ପ୍ରକାଶ ରାଜରୱାନିରୁ ବାରାମୁଲ୍ଲା ଯାଉଥିବା ଏକ ଗାଡ଼ିକୁ ମୋହୁରା ନିକଟରେ ଗୁଳିମାଡ଼ କରାଥିଲା । ଯେଉଁଥିରେ ରାଜାରୱାନିର ବାସିନ୍ଦା ବଶୀର ଖାନଙ୍କ ପତ୍ନୀ ନର୍ଗିସ ବେଗମଙ୍କ ମୃତ୍ୟୁ ହୋଇଥିଲା। ରାଜିକ ଅହମଦ ଖାନଙ୍କ ପତ୍ନୀ ହାଫିଜା ନାମକ ଆଉ ଜଣେ ମହିଳା ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଜିଏମସି ବାରାମୂଲ୍ଲାକୁ ପଠାଯାଇଥିଲା ।
ପାକିସ୍ଥାନ ଜନସାଧାରଣଙ୍କ ଉପରେ ଟାର୍ଗେଟ କରିବା ଆରମ୍ଭ କରିଦେଇଛି । ଏହା ମଧ୍ୟରେ ପଞ୍ଜାବର ଏକ ଗୁରୁଦ୍ୱାରାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାରିଥିଲେ । ଯାହାକୁ ଭାରତୀୟ ସୁରକ୍ଷା କବଚ ପ୍ରତିହତ କରିପାରିଛି । ଜମ୍ମୁ ଏବଂ କାଶ୍ମୀରର ରାଜୌରୀରେ ନିୟନ୍ତ୍ରଣ ରେଖା ନିକଟରେ ବିସ୍ଫୋରଣ ଶବ୍ଦ ଶୁଣାଯାଉଛି ।
ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିବା ପରେ ଉଭୟ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଯାଇଛି । ୨୨ ଏପ୍ରିଲରେ ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁର ଜବାବରେ ବୁଧବାର ବିଳମ୍ବିତ ରାତ୍ରିରୁ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଏକ ଆକ୍ରମଣ କରିଥିଲେ। 'ଅପରେସନ୍ ସିନ୍ଦୂର' ଅଧୀନରେ କରାଯାଇଥିବା ଏହି ଆକ୍ରମଣଗୁଡ଼ିକ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ଦ୍ୱାରା କରାଯାଇଥିଲା। ଏନେଇ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଗୁଳିବର୍ଷା ଜାରି ରଖିଛି ପାକିସ୍ଥାନ ।