ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ଜୋରଦାର ଏୟାରଷ୍ଟ୍ରାଇକ କରି ବଲଦା ନେଇଥିଲା । ଏଥିରେ ବିଚଳିତ ପାକିସ୍ତାନ ଭାରତ ଉପରେ ହମଲା କରି ଯୁଦ୍ଧ ଆରମ୍ଭ କରି ଦେଇଛି । କିନ୍ତୁ ତାର ସବୁ ମିସାଇଲ ଓ ଡ୍ରୋନ ଆକ୍ରମଣକୁ ପ୍ରତିହତ କରି ଦେଇଛନ୍ତି ଭାରତୀୟ ସେନା । ଓଲଟା ଭାରତର ମିସାଇଲ ଓ ଡ୍ରୋନ ପାକିସ୍ତାନର ଅନେକ ସହରରେ ହମଲା କରିଛନ୍ତି । ଏହି ସବୁ ମଧ୍ୟରେ ଶୁକ୍ରବାର ପାକିସ୍ତାନ ସଂସଦରେ ଯୁଦ୍ଧକୁ ନେଇ ବିତର୍କ ହୋଇଥିଲା । ଏହି ସମୟରେ ଜଣେ ସାଂସଦ ନିଜ ସରକାର ଉପରେ ଖୁବ୍ ବର୍ଷିଛନ୍ତି ।
ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସାଂସଦ ଶାହିଦ ଅହମ୍ମଦ କହିଛନ୍ତି, ଶେହବାଜ ସରିଫଙ୍କ ସରକାର ଏକ ଭୟାଳୁ ସରକାର । ଆମର ପ୍ରଧାନମନ୍ତ୍ରୀ ଏତେ ଦୁର୍ବଳ ଯେ, ନରେନ୍ଦ୍ର ମୋଦୀଙ୍କ ନାଁ ନେବାକୁ ଡରୁଛନ୍ତି । ଏପରିିକି ସାଂସଦ ଜଣକ ଶେହବାଜ ସରିଫଙ୍କୁ ବିଲୁଆ ସହ ତୁଳନା କରିଛନ୍ତି । ସେ କହିଛନ୍ତି, ଯଦି ଜଣେ ଲସ୍କରର ସର୍ଦ୍ଦାର ଯଦି ସିଂହ ତେବେ ଏହାର ସେନାରେ ଥିବା ବିଲୁଆ ମାନେ ସିଂହ ପରି ଲଢିଥାନ୍ତି । ଯଦି ନେତୃତ୍ୱ ଯଦି ବିଲୁଆ ହାତରେ ରହିବ ତେବେ ଆପଣ ଜନତାଙ୍କୁ କଣ ସନ୍ଦେଶ ଦେବେ । ଏମିତି ନେତା ଆମ ପାଖରେ ଅଛନ୍ତି, ଯିଏ ନରେନ୍ଦ୍ର ମୋଦୀଙ୍କ ନାଁ ନେବାକୁ ଡରୁଛନ୍ତି । ଶେହବାଜ ସରିଫ ନିଜର ଭାଷଣରେ ନରେନ୍ଦ୍ର ମୋଦୀଙ୍କ ନାଁ ବି ନେଇ ପାରିଲେ ନାହିଁ ।
ଇମ୍ରାନ ଖାନଙ୍କ ଘନିଷ୍ଠ ସାଂସଦ କହିଛନ୍ତି, ସୀମାରେ ଯେଉଁଭଳି ସ୍ଥିତି ସେଥିରେ କୁହାଯାଇ ପାରିବ ଯେ, ଆମକୁ ବାହାଦୂରୀ ସହ ଲଢିବା ଉଚିତ୍ । ମୋର କହିବା କଥା ନିଜର ସ୍ୱାର୍ଥ ପାଇଁ କିଛି ଲୋକ ଇମ୍ରାନ ଖାନଙ୍କ ପରି ନେତାଙ୍କୁ ଜେଲରେ ବନ୍ଦ କରି ରଖିଛନ୍ତି । ମୋର କିମ୍ବା ଆପଣଙ୍କ ଭାଷଣରେ ଜନତା ଆପଣଙ୍କ ସହ ଆସିବେ ନାହିଁ । କିନ୍ତୁ ଆମ ସରକାର ଏମିତି ଦୁର୍ବଳ ଯେ, ଜନତାଙ୍କୁ ସନ୍ଦେଶ ଦେଇ ପାରୁ ନାହାନ୍ତି ।
ଅଧିକ ପଢନ୍ତୁ: ଭୟରେ କଥା ବଦଳାଉଛି ପାକିସ୍ତାନ ,ପ୍ରଥମେ ଋଣ ମାଗିଲା ପରେ ମନା କଲା