ଧର୍ମଶାଳା: ପାକିସ୍ତାନର ହମଲା ମଧ୍ୟରେ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ରଦ୍ଦ କରାଯାଇଛି। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିଲା। ପଞ୍ଜାବ ଇନିଂସର ୧୧ତମ ଓଭର ଖେଳା ଯାଉଥିବା ବେଳେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି। ମ୍ୟାଚ୍ ଚାଲିଥିବା ବେଳେ ଅଚାନକ ଖେଳ ବନ୍ଦ ହୋଇ ଯାଇଥିଲା। ଅମ୍ପାୟର ଓ ଖେଳାଳିଙ୍କୁ ପଡ଼ିଆ ବାହାରକୁ ଚାଲି ଯିବାକୁ କୁହାଯାଇଥିଲା।
ଏହା ପରେ ପଡ଼ିଆର ଫ୍ଲଡଲାଇଟ୍ ବନ୍ଦ କରି ଦିଆଗଲା। ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାରିବା ପାଇଁ କୁହାଗଲା। ପଞ୍ଜାବ ୧୦.୧ ଓଭରରେ ଏକ ଓ୍ଵିକେଟ୍ ହରାଇ ୧୨୨ ରନ କରିଥିଲା। ପ୍ରିୁୟାଂଶ ଆର୍ଯ୍ୟ ୩୪ ବଲରେ ୫ ଚୌକା ଓ ୬ ଛକା ସହ ବିସ୍ଫୋରକ ୭୦ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ପ୍ରଭସିମରନ ସିଂ ୨୮ ବଲରୁ ୫୦ ରନ କରି ଅପରାଜିତ ଥିଲେ।
ସୂଚନାଯୋଗ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉତ୍ପନ ହୋଇଛି। ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ, ପଠାନକୋଟ ସମେତ ଅନେକ ସହର ଉପରେ ପାକିସ୍ତାନ ମିସାଇଲ ହମଲା କରିଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ମିସାଇଲକୁ ଆକାଶରେ ମାରି ଖସାଇଛି। ଏହି ସମୟରେ ଭାରତର ଡିଫେନ୍ସ ସିଷ୍ଟମ ପାକିସ୍ତାନର ତିନୋଟି ଲଢୁଆ ବିମାନକୁ ଧ୍ଵଂସ କରିଛି। ଅନ୍ୟପଟେ ଜମ୍ମୁ ହାଇଓ୍ଵେ ନିକଟରେ ତିନି ସ୍ଥାନରେ ବିସ୍ଫୋରଣ ଘଟିଛି।