ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନର କୌଣସି ସାମରିକ ଅନୁଷ୍ଠାନ କିମ୍ବା ସାଧାରଣ ନାଗରିକଙ୍କ ଉପରକୁ ଟାର୍ଗେଟ୍ କରିନଥିବା ସ୍ପଷ୍ଟ କରି ସାରିଛି । କିନ୍ତୁ ପାକିସ୍ତାନ ତାର ନିଚ୍ଚ କାର୍ୟ୍ୟରୁ ନିବୃତ୍ତ ରହୁ ନାହିଁ । ଉତ୍ତର ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ୍ ଆକ୍ରମଣ କରିଛି । ତେବେ ଏହାର ଭାରତୀୟ ପ୍ରତିରକ୍ଷା ବିଭାଗ ଭଣ୍ଡୁର କରିଦେଇଛି । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛି ।
୧୫ଟି ସହରକୁ ଟାର୍ଗେଟ୍ କରିଛି ପାକିସ୍ତାନ
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ମେ ୭ ତାରିଖ ରାତିରେ ଭାରତ ପକ୍ଷରେ ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଅଭିଯାନ କରାଯାଇଥିଲା । ଏଥିରେ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ପାକିସ୍ତାନ ଉତ୍ତର ଓ ପଶ୍ଚିମ ଭାରତର ୧୫ଟି ସହରକୁ ଟାର୍ଗେଟ୍ କରିଛି । ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମ୍ରିତସର, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚନ୍ଦିଗଡ଼, ନାଲ୍, ଫାଲୋଦି, ଉତ୍ତରଲାଇ ଓ ଭୁଜକୁ ଡ୍ରୋନ୍ ଏବଂ ମିଜାଇଲ୍ ପଠାଇଛି ପାକିସ୍ତାନ । ତେବେ ଭାରତ ପକ୍ଷରୁ ଜବାବ ଦିଆଯାଇ ଏଗୁଡ଼ିକୁ ନଷ୍ଟ କରାଯାଇଛି । ଗୁରୁବାର ସକାଳୁ ବିଭିନ୍ନ ସ୍ଥାନରେ ମିଜାଇଲର ଭଗ୍ନାବଶେଷକୁ ଉଦ୍ଧାର କରାଯାଇଛି ।
ପାକ୍ ରାର୍ଡାର୍ ସିଷ୍ଟମ୍ ଧ୍ୱଂସ
ଅନ୍ୟପକ୍ଷରେ ଆତଙ୍କବାଦ ବିରୁଦ୍ଧରେ ଭାରତ ଅପରେସନ୍ ସିନ୍ଦୂର ଜାରି ରହିଛି । ଗୁରୁବାର ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଲାହୋରକୁ ଟାର୍ଗେଟ୍ କରାଯାଇଛି । ଏଥିରେ ସେନାକୁ ବଡ଼ ସଫଳତା ମିଳିଛି । ପାକିସ୍ତାନ ବାୟୁ ସେନା ପ୍ରତିରକ୍ଷା ବିଭାଗର ରାର୍ଡାରକୁ ଧ୍ୱଂସ କରିବାରେ ସଫଳ ହୋଇଛି ବାୟୁସେନା ।
ସୀମାରେ ୧୬ ଜଣ ସାଧାରଣ ନାଗରିକ ମୃତ
ତେବେ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ପାକ୍ ସେନା ମୋର୍ଟାର ଓ ଗୁଳି ବର୍ଷାଇଛନ୍ତି । ଜମ୍ମୁ କାଶ୍ମୀର କୁପୱାଡ଼ା, ବାରମୁଲା, ଉରି, ପୁଞ୍ଚ, ମାନ୍ଧାର ଓ ରଜୌରୀରେ ଗୁଳି ଜାରି ରହିଛି । ଏଥିରେ ୧୬ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଶିଶୁ ଓ ଜଣେ ମହିଳା ରହିଛନ୍ତି ।