ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ପ୍ରତିଶୋଧର ନିଆଁରେ ଜଳି ଉଠିଛି ପାକିସ୍ତାନ । ଏଲଓସିରେ ଆଖିବୁଜା ଗୁଳି ବର୍ଷଣ କରୁଛି । ଏହା ମଧ୍ୟରେ କେନ୍ଦ୍ର ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଅପରେସନ ସିନ୍ଦୂର ଶେଷ ହୋଇ ନାହିଁ । ଏଥର ଏୟାର ଷ୍ଟ୍ରାଇକରେ ଅତି କମରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହି ସୂଚନା ଦେଇଛନ୍ତି ।
ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କବାଦୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରି ଧ୍ୱଂସ କରିଛନ୍ତି ଭାରତୀୟ ସେନା । ତେବେ ଆହୁରି ୧୨ ଆତଙ୍କୀ ଶିବିର ଏବେ ବି ବାକି ରହିଛି । ବୈଠକରେ ରାଜନାଥ ସିଂ କହିଛନ୍ତି ଅପରସନ ସିନ୍ଦୂର ଶେଷ ହୋଇ ନାହିଁ । ଏବେ ବି ଏହା ଜାରି ରହିଛି । ବର୍ଡରରେ ସ୍ଥିତି ଦ୍ରୁତ ଗତିରେ ବଦଳୁଛି । ଏଥିପାଇଁ ଯୋଜନା ବିଷୟରେ କୁହାଯାଇ ପାରିବ ନାହିଁ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ ।
ଏହି ସର୍ବଦଳୀୟ ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ଏସ ଜୟଶଙ୍କର, ଜେପି ନଡ୍ଡା ଓ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ । ଅନ୍ୟପଟେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ବୈଠକରେ ସାମିଲ ହୋଇଥିଲେ । ଏହାବାଦ ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଏଆଇଏମଆଇଏମର ଅସଦୁଦ୍ଦୀନ ଓୱେସି, ଡିଏମକେ ତରଫରୁ ଟିଆର ବାଲ, ସମାଜବାଦୀ ପାର୍ଟିରୁ ରାମଗୋପାଲ ଯାଦବ, ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ, ଶିବସେନା(ୟୁବିଟି) ସଞ୍ଜୟ ରାଉତ, ଜେଡିୟୁର ସଞ୍ଜୟ ଝା ଆଦି ନେତା ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ: ଆହୁରି ବାକି ଅଛି ୧୨ଟି ଆତଙ୍କୀ ଆଡ୍ଡା, ପୁଣି ଆକ୍ରମଣ କରିପାରେ ଭାରତ !