ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଇଛି ଭାରତ । ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କବାଦୀ ଶିବିର ଓ ତାଲିମ କେନ୍ଦ୍ରକୁ ଧ୍ୱସ୍ତ କରିଛି । ଏହା ପରେ ହତାଶ ହୋଇ ପଡିଥିବା ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଆଖିବୁଜା ଗୁଳି ବର୍ଷଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଡୋଶୀ ଦେଶର ସୀମା ସହ ଲାଗି ରହିଥିବା ପଞ୍ଜାବ ଓ ରାଜସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି । ପଞ୍ଜାବ ପାକିସ୍ତାନ ସହ ୫୩୨ କିଲୋମିଟର ଓ ରାଜସ୍ଥାନର ପାଖାପାଖି ୧୦୭୦ କିଲୋମିଟର ସୀମା ପାକିସ୍ତାନ ସହ ଲାଗି ରହିଛି ।
ଗୁରୁବାର ଅଧିକାରୀଙ୍କ ଅନୁଯାୟୀ, ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଉତ୍ତେଜନା ବଢୁଥିବାରୁ ରାଜ୍ୟ ସରକାର ଛଅ ସୀମାବର୍ତ୍ତୀ ଜିଲ୍ଲା ଫିରୋଜପୁର, ପଠାନକୋଟ, ଫାଜିଲକା, ଅମୃତସର, ଗୁରୁଦାସପୁର ଓ ତରନତାନରରେ ସମସ୍ତ ସ୍କୁଲ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସେହିପରି ପଞ୍ଜାବ ସରକାର ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ସରକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।
ପଞ୍ଜାବ ଡିଜିପି କାର୍ଯ୍ୟାଳୟ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ, ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ପୋଲିସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ମେ ୭ରୁ ବାତିଲ କରାଯାଇଛି । ଛୁଟି କେବଳ ବିଶେଷ ପରିସ୍ଥିତିରେ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ମଞ୍ଜୁରୀରେ ମିଳି ପାରିବ । ସେହିପରି ରାଜସ୍ଥାନରେ ସତର୍କତାମୂଳକ ଚାରି ସୀମାବର୍ତ୍ତୀ ଜିଲ୍ଲା ଶ୍ରୀଗଙ୍ଗାନଗର, ବିକାନେର, ଜୈସଲମେର ଓ ବାଡମେରରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଅପରେସନ ସିନ୍ଦୂର ପରେ ବଢିଥିବା ଉତ୍ତେଜନାକୁ ଆଖି ଆଗରେ ରଖି ସମ୍ବନ୍ଧିତ ଅଧିକାରୀ ଓ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ଓ ରାଜସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ସବୁ ପ୍ରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦୁଇ ରାଜ୍ୟକୁ କୁହାଯାଇଛି ।