ନୂଆଦିଲ୍ଲୀ: ଭାରତୀୟ ସେନା ୬-୭ ତାରିଖ ମଧ୍ୟରାତ୍ରରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରି ଦେଇଛି । ଏହି ହମଲା ପରେ ପାକିସ୍ତାନ ଲଗାତାର ଏଲଓସିରେ ଗୁଳିବର୍ଷଣ କରି ଚାଲିଛି । ସୀମାପାରରୁ ହେଉଥିବା ଏହି ଗୁଳିମାଡକୁ ଦୃଷ୍ଟିରେ ରଖି ଏବେ ଭାରତୀୟ ବାୟୁସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ବାୟୁସେନା ସ୍ପଷ୍ଟ କରି ଦେଇଛି ଯେ, ଯଦି କୌଣସି ସନ୍ଦିଗ୍ଧ ନଜରକୁ ଆସିଲା ତେବେ ପୂରା ଶକ୍ତିର ସହ ଏହାର ପ୍ରତି ଜବାବ ଦିଆଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏନଏସଏ ଅଜିତ ଡୋଭାଲ ପୂରା ଘଟଣାକ୍ରମ ଉପରେ ନଜର ରଖିଛନ୍ତି । ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ ।ଏହି ବୈଠକରେ ସବୁ ଦଳର ବଡ ବଡ ନେତା ସାମିଲ ହେବେ । କୁହାଯାଉଛି ମୋଦୀ ସରକାର ଆତଙ୍କବାଦ ଉପରେ ପୁଣି ଏକ ବଡ ହମଲା କରିବାକୁ ଯାଉଛନ୍ତି ।
ମିିଡିଆ ରିପୋର୍ଟ ଅନୁଯାୟୀ, ମୋଦୀ ସରକାର ଓ ସେନା ପୁଣି ଥରେ ଏୟାରଷ୍ଟ୍ରାଇକ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଥମ ଏୟାରଷ୍ଟ୍ରାଇକରେ ସେନା ୯ ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲେ । ଏବେ ଅନ୍ୟ ଠିକନା ଉପରେ ଭାରତୀୟ ସେନା ହମଲା କରି ପାରନ୍ତି । କାଶ୍ମୀରରେ ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବାକୁ ଅଣ୍ଟା ଭିଡିଛି ଭାରତ ।
ସମଗ୍ର ଦେଶରେ ୨୭ ଏୟାରପୋର୍ଟ ବନ୍ଦ
ସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ବର୍ତ୍ତମାନ ପାଇଁ ୨୭ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି । ଅଧିକାଂଶ ବିମାନ ବନ୍ଦର ଉତ୍ତର ଭାରତ ଓ ପଶ୍ଚିମ ଭାରତର । ଏଥିରେ ଶ୍ରୀନଗର, ଜମ୍ମୁ, ଚଣ୍ଡିଗଡ, ଅମୃତସର ଓ ଲୁଧିଆନାର ବିମାନ ବନ୍ଦର ସାମିଲ ।
ଅନ୍ୟପଟେ ପାକିସ୍ତାନୀ ସେନା ଅପରେସନ ସିନ୍ଦୂର ପରଠୁ ନିୟନ୍ତ୍ରଣ ରେଖା ଏଲଓସି ନିକଟ ସ୍ଥିତ ଗାଁଗୁଡିକକୁ ନିଶାଣ କରି ଗୁଳିମାଡ କରୁଛନ୍ତି । ଏଥିରେ ଚାରି ଛୋଟ ପିଲା, ଜଣେ ଯବାନ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଭାରତୀୟ ଯବାନ ମଧ୍ୟ ଏହାର ଜବାବ ଦେଉଛନ୍ତି । ସୀମାରେ ସ୍ଥିତ ପାକ ସେନାର ଅନେକ ପୋଷ୍ଟକୁ ନଷ୍ଟ କରିଛନ୍ତି ଭାରତୀୟ ଯବାନ ।