ଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସହିତ ପାକିସ୍ଥାନର ଏଆର ଡିଫେନ୍ସ ସିଷ୍ଟମକୁ ଉଡାଇଦେଇଛି ଭାରତ । ସେହି ମଧ୍ୟରେ ଏକ ଡ୍ରୋନ ପାକିସ୍ଥାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡ଼ିୟମ ନିକଟରେ କ୍ରାସ୍ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଡ୍ରୋନଟି ସୁରକ୍ଷା ନିରୀକ୍ଷଣ କାର୍ଯ୍ୟରେ ନିଯୁକ୍ତ ଥିଲା ।
ତେବେ ଏହି ଷ୍ଟାଡିୟମରେ କିଛି ସମୟ ମଧ୍ୟରେ ପାକିସ୍ଥାନ ପ୍ରିମିୟର ଲିଗର ମ୍ୟାଚ ଏକ ମ୍ୟାଚ ପେଶାୱାର ଜ଼ଲ୍ମୀ ଓ କରାଚୀ କିଂଗ୍ସ ମଧ୍ୟରେ ସନ୍ଧ୍ୟା ୮ ଟାରେ ଖେଳା ଯାଇଥାନ୍ତା । ଏହି ଘଟଣାପରେ ଖେଳାଳି ମାନଙ୍କୁ ତୁରନ୍ତ ରାୱଲପିଣ୍ଡି ଛାଡିବାକୁ ପାକିସ୍ଥାନ କ୍ରିକେଟ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
ଆହୁରି ମଧ୍ୟ ରିପୋର୍ଟ ଅନୁଯାୟୀ ଏହି ଡ୍ରୋନ କ୍ରାସ୍ ଫଳରେ ନିକଟସ୍ଥ ରେଷ୍ଟୁରାଣ୍ଟ ଅଟ୍ଟାଳିକା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳୁଛି । ଆହତ ଦୁଇଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଅଞ୍ଚଳରେ ପ୍ରବେଶକୁ ନିଶିଦ୍ଧ କରିବା ସହିତ ସୁରକ୍ଷା ଅଧିକାରୀ ଏହା ଉପରେ ତଦନ୍ତ ଆରମ୍ଭ କରିଦେଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ଼ରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ଦି ଟେଲିଗ୍ରାଫର ଏକ ରିପୋର୍ଟ ଅନୁଯାୟୀ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଜରୁରୀକାଳୀନ ବୈଠକ ଡକାଇ ପରିସ୍ଥିତି ଯାଞ୍ଚ କରିବା ସହିତ ଖେଳାଳିଙ୍କ ସୁରକ୍ଷା ନିମନ୍ତେ ସେଠାରେ ରହିବେ କିମ୍ବା ପ୍ରତ୍ୟାବର୍ତନ କରିବେ ସେ ନେଇ ଆଲୋଚନା ଜାରି ରହିଛି । ଏହା ମଧ୍ୟରେ କିଛି ଖେଳାଳି ଇଂଲଣ୍ଡ ଫେରିବା ପାଇଁ ମନସ୍ଥ କରୁଥିବା ଜଣାପଡିଛି ।