ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅପରେସନ ସିନ୍ଦୂର ପୂରା ପାକିସ୍ତାନରେ ଆତଙ୍କ ଖେଳାଇଛି । ପାକିସ୍ତାନ ଆତଙ୍କବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଧମକ ଦେଉଛି । ଏହା ମଧ୍ୟରେ ଆମେରିକାର ଜଣେ ସାଂସଦ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ଏମିତି ଚିନ୍ତା ଆଦୌ ନ କରୁ । ଆମେରିକା ଡେମୋକ୍ରାଟିକ ସାଂସଦ ରୋ ଖନ୍ନା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଏକଛତ୍ରବାଦ ଶାସକର ଆଖ୍ୟା ଦେଇଛନ୍ତି । ପାକିସ୍ତାନ ଭାରତର ପ୍ରତିଜବାବ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଭୁଲ୍ ନ କରୁ ।
ସିଏନଏସନ ସହ ଆଲୋଚନା ବେଳେ ରୋ ଖନ୍ନା କହିଛନ୍ତି, ଦୁଇ ଦେଶ ଆଣବିକ ଅସ୍ତ୍ର ଶସ୍ତ୍ର ସଂପନ୍ନ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ତ୍ତମାନ ଉତ୍ତେଜନା କମ କରିବା । ପହଲଗାମରେ ଆତଙ୍କୀ ହମଲା ହେଲା । ଏଥିରେ ନିର୍ଦ୍ଦୋଷ ନାଗରିକଙ୍କୁ ଗୁଳି କରି ହତ୍ୟା କରାଗଲା । ଭାରତ ପ୍ରତିଜବାବ ଦେଇ କିଛି ଆତଙ୍କବାଦୀ କେନ୍ଦ୍ରକୁ ନଷ୍ଟ କରିଛି । ଏବେ ବଡ କଥା ଦୁଇ ପକ୍ଷ ଶାନ୍ତ ରୁହନ୍ତୁ ।
ସେ କହିଛନ୍ତି, ବର୍ତ୍ତମାନ ଆମେରିକାକୁ ଭାରତ-ପାକିସ୍ତାନ ମଧ୍ୟରେ ଏହି ଗମ୍ଭୀର ସ୍ଥିତିକୁ ବୁଝିବା ଓ କୂଟନୈତିକସ୍ତରରେ ସମାଧାନ କରିବାରେ ସହାୟତା କରିବା ଉଚିତ୍ । ଇଂରେଜମାନେ ଦୁଇ ଦେଶ ବିଭାଜନ ସମୟରେ ହିନ୍ଦୁ ଓ ମୁସଲିମ ମଧ୍ୟରେ ଧାର୍ମିକ ବିଭାଜନକୁ ପ୍ରୋତ୍ସାହନ ଦେଇଥିଲା । ଏମିତି ଜଟିଳ ସମସ୍ୟାକୁ ବୁଝି ଏକ ସଚ୍ଚୋଟ ମଧ୍ୟସ୍ଥ ଭୂମିକା ଆମେରିକାକୁ ଏବେ ନିର୍ବାହ କରିବା ଦରକାର ।
ରୋ ଖନ୍ନା ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଏକଛତ୍ରବାଦ ଶାସକ ଦର୍ଶାଇ କହିଛନ୍ତି ଯେ, ପାକିସ୍ତାନରେ ଗଣତନ୍ତ୍ର ପ୍ରାୟତଃ ସମାପ୍ତ ହୋଇ ସାରିଛି । ଅସୀମ ମୁନୀର ଜଣେ ଏକ ଛତ୍ରବାଦ, ଯିଏ କୌଣସି ବୈଧ୍ୟ ନିର୍ବାଚନ ହେବାକୁ ଦେଲାନି । ଇମ୍ରାନ ଖାଁଙ୍କୁ ଜେଲରେ ଭର୍ତ୍ତି କରିଦେଲା । ଏବେ କୌଣସି ସଚ୍ଚୋଟ ଏବଂ ସ୍ୱର ଉଠାଉଥିବା ବ୍ୟକ୍ତି ପାକିସ୍ତାନରେ ନାହାନ୍ତି । ସେ ଆମେରିକାକୁ ଅପିଲ୍ କରିଛନ୍ତି ଯେ, ପାକିସ୍ତାନ ଉପରେ ଚାପ ପକାଯାଉ । ଆମେ ପାକିସ୍ତାନକୁ ଆଇଏମଏଫ ଜରିଆରେ ଋଣ ଦେଉଛୁ । ଏହା ଉପରେ ଉକ୍ତ ଦେଶ ନିର୍ଭରଶୀଳ । ଆମକୁ ଏହା କହିବା ଉଚିତ୍ ଯେ, ଇମ୍ରାନ ଖାନଙ୍କୁ ମୁକ୍ତ କରାଯାଉ, କୌଣସି ପ୍ରତିଜବାବ ପାକିସ୍ତାନ ନ ଦେଉ ଏବଂ ଦେଶରେ ନିରପେକ୍ଷ ନିର୍ବାଚନ କରାଯାଉ ।