ନୂଆଦିଲ୍ଲୀ: ଆତଙ୍କବାଦୀକୁ ନେଇ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଶାନ୍ତି ପାଇଁ ଆହ୍ୱାନ କରିଛନ୍ତି । ପରସ୍ପର ବିରୋଧରେ ବିରୋଧରେ ନ ଲଢ଼ି ଘୃଣା ଏବଂ ହିଂସା ବିରୁଦ୍ଧରେ ଲଢ଼ିବାକୁ ସେ ଅପିଲ୍ କରିଛନ୍ତି ।
ମଲାଲା ତାଙ୍କ ଏକ୍ସରେ ପୋଷ୍ଟ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ କହିଛନ୍ତି । ଆମେ ପରସ୍ପରର ଶତ୍ରୁ ନୁହେଁ ବରଂ ହିଂସା ଓ ଘୃଣା ଆମର ଶତ୍ରୁ । ଦୁଇ ଦେଶ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବା ଆତଙ୍କବାଦୀ ବିରୁଦ୍ଧରେ ଏକତ୍ରିତ ହୋଇ ଲଢ଼ିବାକୁ ସେ ଅନୁରୋଧ କରିଛନ୍ତି । ବିଶେଷକରି ସାଧାରଣ ନାଗରିକ, ଛୋଟ ପିଲା ଓ ସୁରକ୍ଷା ଦେବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ କହିଛନ୍ତି ମଲାଲା ।
ଏହା ସହିତ ମଲାଲା ଉଭୟ ଦେଶର ସମସ୍ତ ନିର୍ଦ୍ଦୋଷ ପୀଡିତଙ୍କ ପ୍ରିୟଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ବିପଦପୂର୍ଣ୍ଣ ସମୟରେ ପାକିସ୍ତାନରେ ଥିବା ତାଙ୍କର ସମସ୍ତ ବନ୍ଧୁ ଏବଂ ପରିବାର ଏବଂ ଆମେ କାମ କରୁଥିବା ସମସ୍ତ ଶିକ୍ଷକ, ଓକିଲ ଏବଂ ଝିଅମାନଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବାକୁ ଏଥିରେ ଆନ୍ତର୍ଜାତୀୟ ସଂଗଠନ ଗୁଡ଼ିକର ହସ୍ତକ୍ଷେପ ଲୋଡ଼ିଛନ୍ତି । ଏଥିପାଇଁ କୂଟନୈତିକ ପ୍ରୟାସ କରିବାକୁ ପଡ଼ିବ । ସାମୂହିକ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଶାନ୍ତି ହେଉଛି ଏକମାତ୍ର ରାସ୍ତା ବୋଲି କହିଛନ୍ତି ମଲାଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ପର୍ୟ୍ୟଟକ ପ୍ରାଣ ହରାଇଥିଲେ । ଏହାର ଜବାବରେ ଭାରତ ପ୍ରଥମେ କୂଟନୈତିକ ପ୍ରହାର କରିବା ପରେ ମେ ୬-୭ ତାରିଖ ରାତିରେ ପାକିସ୍ତାନ ଓ ପିଓକେରେ ଥିବା ବିଭିନ୍ନ ଆତଙ୍କୀ ସଂଗଠନଗୁଡ଼ିକ ଉପରେ ମିସାଇଲ୍ ଆକ୍ରମଣ କରିଛି ।