ରାଇକିଆ: ହନୁମାନ ମନ୍ଦିରରୁ ଚୋରୀ। ମନ୍ଦିର ଭିତରୁ ହୁଣ୍ଡୀ ଭାଙ୍ଗି ଲୁଟିନେଲେ ସମସ୍ତ ଦାନ ଟଙ୍କା। ଏପରିକି ମନ୍ଦିର କୂଅରେ ଲାଗିଥିବା ପାଣି ମୋଟରକୁ ମଧ୍ୟ ଚୋରି କରି ନେଇଯାଇଛନ୍ତି ଚୋର। ତେବେ ଏଭଳି ଚୋରି କନ୍ଧମାଳ ଜିଲ୍ଲା ରାଇକିଆ ନିକଟସ୍ଥ ମନ୍ଦିରରୁ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଚୋରି ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ମନ୍ଦିରର ଗେଟର ତାଲା ଭାଙ୍ଗି ଭକ୍ତ ମାନେ ଦାନ କରିଥିବା ହୁଣ୍ଡିକୁ ନେଇଯାଇଛନ୍ତି ଏହା ସହ ମନ୍ଦିର କୂଅରେ ଲାଗିଥିବା ପାଣି ମଟରଟିକୁ ମଧ୍ୟ ନେଇଯାଇଛନ୍ତି। ସକାଳୁ ମନ୍ଦିର ପୂଜକ ମନ୍ଦିରରେ ପହଞ୍ଚି ଦେଖିଥିଲେ ମନ୍ଦିରରେ ଚୋରି ହୋଇଛି। ଏହାପରେ ତୁରନ୍ତ ଏନେଇ ମନ୍ଦିର ସଭାପତିକୁ ଖବର ଦେଇଥିଲେ। ତେବେ ଏନେଇ ସଭାପତି ରାଇକିଆ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରୁଛି। ତେବେ ମନ୍ଦିର ହୁଣ୍ଡିରେ ଲକ୍ଷ୍ୟାଧିକ ଟଙ୍କା ଅଳଙ୍କାର ଥିବା ପୂଜକ କହିଛନ୍ତି। ତେବେ ବାରମ୍ବାର ଏହିପରି ମନ୍ଦିରରେ ଲୁଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି ।