ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଓ ସାରା ବିଶ୍ୱବାସୀଙ୍କୁ ଆତଙ୍କବାଦୀ ବିରୁଦ୍ଧରେ ଭାରତ ତାର ଶୂନ୍ୟ ସହନଶୀଳତା ନୀତିକୁ ଦେଖାଇ ଦେଇଛି । ଆତଙ୍କୀ ସଙ୍ଗଠନର ୯ ଟି ଠିକଣାକୁ ଧ୍ୱଂସ କରିଛି ଭାରତୀୟ ସେନା । ରାତି ଅଧିଆ ମିସାଇଲ୍ ଆକ୍ରମଣ ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ପାକିସ୍ତାନ । ବିଶ୍ୱ ନେତୃତ୍ୱମାନେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ନିବେଦନ କଲେଣି । କିନ୍ତୁ ସେପଟେ ତୋଡ଼ ଛାଡ଼ୁନି ଆତଙ୍କବାଦୀ ସଙ୍ଗଠନ । ଭାରତର ଏହି କାର୍ଯ୍ୟାନୁଷ୍ଠାନର ଜବାବ ଦିଆଯିବ ବୋଲି ଖୋଲାଖୋଲି ଧମକ ଦେଇଛି ଅଲ-କାଏଦା ।
ଅପରେସନ୍ ସିନ୍ଦୂର ପରେ ଅଲ-କାଏଦାର ଭାରତୀୟ ଉପମହାଦେଶ ଶାଖା (AQIS) ଏକ ବିବୃତ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ପାକିସ୍ତାନ ଉପରେ ଭାରତର ଆକ୍ରମଣର ଜବାବ ଦିଆଯିବ । ଏହି ବିବୃତ୍ତି ଅସ-ସାହାବ ମିଡିଆ ମାଧ୍ୟମରେ ଆସିଛି । ସଙ୍ଗଠନ ଦାବି କରିଛି, ୬ ମେ ୨୦୨୫ ରାତିରେ, ଭାରତର 'ଗେରୁଆ ସରକାର' ପାକିସ୍ତାନର ଛଅଟି ସ୍ଥାନରେ ଆକ୍ରମଣ କରିଥିଲା । ମସଜିଦ ଏବଂ ବସ୍ତିଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଛି । ଏଥିରେ ଅନେକ ମୁସଲମାନ ସହିଦ ଏବଂ ଆହତ ହୋଇଛନ୍ତି ବୋଲି ଅଲକାଏଦା ଦାବି କରିଛି । ଆମେ ଆଲ୍ଲାଙ୍କର ଏବଂ ତାଙ୍କ ପାଖକୁ ଫେରିବୁ । ଆଲ୍ଲା ସହିଦମାନଙ୍କୁ ସ୍ୱର୍ଗରେ ଉଚ୍ଚ ସ୍ଥାନ ଦିଅନ୍ତୁ ଏବଂ ଆହତମାନଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ । ଏହି ଆକ୍ରମଣ ଗେରୁଆ ସରକାର(ମୋଦୀ ସରକାର)ଙ୍କ ଅପରାଧ ତାଲିକାରେ ଆଉ ଏକ କଳା ଅଧ୍ୟାୟ ବୋଲି କହିଛନ୍ତି ଏଲକାଏଦା ।
ବିବୃତ୍ତିରେ କୁହାଯାଇଛି, "ଆମେ ସ୍ପଷ୍ଟ ଭାବରେ କହୁଛୁ ଯେ ଏହା ମୁସଲମାନମାନଙ୍କ ପାଇଁ ଭାରତ ବିରୁଦ୍ଧରେ ଏକ ଜିହାଦ । ଆଲ୍ଲାହଙ୍କ ନାମକୁ ଉଚ୍ଚ କରିବା, ଇସଲାମ ଏବଂ ମୁସଲମାନମାନଙ୍କୁ ସୁରକ୍ଷା ଦେବା ଏବଂ ନିର୍ଯାତିତ ଲୋକଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଏବେ ଉପମହାଦେଶର ମୁସଲମାନମାନେ ସେମାନଙ୍କ ସମର୍ଥନରେ ଠିଆ ହେବା ଉଚିତ ବୋଲି ଅଲକାଏଦା ଆହ୍ୱାନ କରିଛି । ଆଲ୍ଲାହଙ୍କ ସାହାଯ୍ୟରେ ଆମେ ମୁସଲମାନମାନଙ୍କ ଉପରେ ହୋଇଥିବା ସମସ୍ତ ଅତ୍ୟାଚାରର ପ୍ରତିଶୋଧ ନେବା ଏବଂ ଆଲ୍ଲାହଙ୍କ ନାମକୁ ଉଚ୍ଚ କରିବା ପର୍ଯ୍ୟନ୍ତ ଲଢ଼ିବୁ ବୋଲି ଅଲ-କାଏଦା ଶପଥ ନେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ମେ ୬-୭ ମଧ୍ୟ ରାତି ପ୍ରାୟ ୧ ଟାରେ ଭରାତୀୟ ସେନା ପିଓକେ ଏବଂ ପାକିସ୍ତାନର ୯ଟି ଆତଙ୍କବଦୀ ପ୍ରଶିକ୍ଷଣ ଆଡ୍ଡା ଉପରେ ମିସାଇଲ୍ ଆକ୍ରମଣ କରିଛି । ଏଥିରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହା ଅପରସନକୁ ଭାରତୀୟ ସେନା ସୀମା ଭିତରେ ରହି କରିଛନ୍ତି । ଏହା ସହିତ କୌଣସି ସାଧାରଣ ନାଗରିକ କିମ୍ବା ସାମରିକ ଅନୁଷ୍ଠାନକୁ ଟାର୍ଗେଟ୍ କରାଯାଇ ନ ଥିଲା ବୋଲି ଭାରତୀୟ ସେନା କହିଛି ।