ନୂଆଦିଲ୍ଲୀ: ଉତ୍ତରକାଶୀର ଗଙ୍ଗନାନୀ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗଙ୍ଗନନୀ ନିକଟରେ ଏକ ହେଲିକପ୍ଟର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୫ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି । ଦୁର୍ଘଟଣାଟି ଗୁରୁବାର ସକାଳ ୯ଟାରେ ହୋଇଥିବାର ସୂଚନା ଦେଇଛନ୍ତି ଗରହ୍ୱାଲ ଡିଭିଜନାଲ୍ କମିଶନର୍ ବିନୟ ଶଙ୍କର ପାଣ୍ଡେ ।
ସୂଚନାନୁଯାୟୀ, ଉତ୍ତରାଖଣ୍ଡର ଡେରାଡୁନ ସହରରୁ ଏକ ହେଲିକପ୍ଟର୍ ଯାତ୍ରୀଙ୍କୁ ନେଇ ହର୍ଷିଲକୁ ଯାତ୍ରା ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୬ ଜଣ ଯାତ୍ରୀ ଓ ଜଣେ ପାଇଲଟ୍ ଥିଲେ । ଗଙ୍ଗନାନୀ ନିକଟସ୍ଥ ନାଗ ମନ୍ଦିରର ତଳେ ପ୍ରବାହିତ ହେଉଥିବା ଭାଗୀରଥୀ ନଦୀ ପାଖରେ ହେଲିକେପ୍ଟରଟି ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇଁ ପୋଲିସ, ସେନା ଓ ଆମ୍ବୁଲାନ୍ସ ଆଦି ପହଁଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ହେଲିକେପ୍ଟରଟି ଏକ ଘରୋଇ କମ୍ପାନୀର ହୋଇଥିବାବେଳେ ତାହା ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମୀ ଘଟଣାଉପରେ ନଜର ରଖିଥିବାବେଳେ ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ୍, ସ୍ଥାନୀୟ ବିଡିଓ, ତହସିଲଦାର ପ୍ରମୁଖ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ପୋଲିସ ଯାଞ୍ଚ ଆରମ୍ଭ କରିଛି ।