ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦ୍ବାରା ମଙ୍ଗଳବାର-ବୁଧବାର ରାତିରେ କରାଯାଇଥିବା ‘ଅପରେସନ ସିନ୍ଦୂର’ର ସଫଳତା ପରେ କେନ୍ଦ୍ର ସରକାର ଗୁରୁବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସମସ୍ତ ରାଜନୈତିକ ଦଳକୁ ପାକିସ୍ତାନ ବିରୁଦ୍ଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଯିବ। ଏହା ବ୍ୟତୀତ ସୀମା ସୁରକ୍ଷା ସହ ଜଡିତ ବିଷୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ।
ସରକାରଙ୍କ ଲକ୍ଷ୍ୟ ହେଉଛି ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସମସ୍ତଙ୍କୁ ସାଙ୍ଗରେ ନେବା। ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବା ପରେ, ସମସ୍ତ ଦଳ ସେନାର ଏହି ଅପରେସନକୁ ସମର୍ଥନ କରିଛନ୍ତି। ବୈଠକରେ ଯୋଗଦେବା ପାଇଁ ସମସ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଡକାଯାଇଛି।
ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ। ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ।
ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା କହିଛନ୍ତି ଯେ ଶାସକ ଏବଂ ବିରୋଧୀ ଦଳର ସମସ୍ତ ପ୍ରମୁଖ ନେତା ବୈଠକରେ ଅଂଶଗ୍ରହଣ କରିବେ। ସଂସଦ ପରିସରରେ ଥିବା କମିଟି ରୁମରେ ସକାଳ ୧୧ଟାରେ ପ୍ରସ୍ତାବିତ ଏହି ସର୍ବଦଳୀୟ ବୈଠକ ବିଷୟରେ କିରେନ ରିଜିଜୁ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ସେୟାର କରିଛନ୍ତି।
ସେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଉପରେ ଆଲୋଚନା କରିବା ପାଇଁ ମେ ୮ ତାରିଖରେ ନୂଆଦିଲ୍ଲୀରେ ସମସ୍ତ ଦଳର ଏକ ବୈଠକ ଡକାଇଛନ୍ତି। ପୂର୍ବରୁ ଏପ୍ରିଲ ୨୨ ତାରିଖରେ, ଯେତେବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, କେନ୍ଦ୍ର ସରକାର ପରଦିନ ଏକ ସର୍ବଦଳୀୟ ବୈଠକ ଡାକି ଦେଶର ସୁରକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସମସ୍ତ ପ୍ରମୁଖ ନେତାଙ୍କୁ ଅବଗତ କରାଇଥିଲେ।
ଅଧିକ ପଢ଼ନ୍ତୁ: ଏଲଓସିରେ ପୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ କଲା ପାକିସ୍ତାନ